ବରଗଡ଼ ରେ ସୁରଜ ହତ୍ୟା ମାମଲା ର ଫର୍ଦାଫାଶ:ଚାରି ଗିରଫ

ସୁରଜ ହତ୍ୟା ମାମଲାର ପର୍ଦ୍ଦାଫାଶ: ୪ ଗିରଫ


: ବରଗଡ଼ ସହରରେ ଶୁକ୍ରବାର ବିଳମ୍ବିତ ରାତିରେ ସଂଘଟିତ ସୁରଜ ଦାଶ ହତ୍ୟା ମାମଲାର ରବିବାର ପର୍ଦ୍ଦାଫାଶ କରିଛି ବରଗଡ଼ ଟାଉନ ଥାନା ପୋଲିସ। ଏହି ମାମଲାରେ ପୋଲିସ ୪ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ବରଗଡ଼ ପୌର ପରିଷଦ ଅଧୀନ ଓ୍ବାର୍ଡ ନଂ ୧୬ ବ୍ରହ୍ମଚାରୀର ଆକାଶ ପାଇକ(୨୧), ତାଙ୍କ ଭାଇ ବଣ୍ଟି ପାଇକ(୨୧), ଓ୍ବାର୍ଡ ନଂ-୧୧ ନୂଆପଡ଼ାର କାଜୁ ଭୋଇ(୨୧) ଏବଂ ଓ୍ବାର୍ଡ ନଂ-୫ ବିଶିପଡ଼ାର ତରୁଣ ବାରିକ(୨୬)। ସେମାନଙ୍କ ପାଖରୁ ହତ୍ୟାକାଣ୍ଡରେ ବ୍ୟବହୃତ ପଥର, ଠେଙ୍ଗା, ଗାମୁଛା, ଗୋଟିଏ ମୋବାଇଲ ଏବଂ ଗୋଟିଏ ବାଇକ୍‌ ଜବତ ହୋଇଛି। ପୋଲିସ ସେମାନଙ୍କ ବିରୋଧରେ ବରଗଡ଼ ଟାଉନ ଥାନାରେ ବିଭିନ୍ନ ଦଫାରେ କେସ୍‌ ନଂ ୪୬୭/୨୩ରେ ଏକ ମାମଲା ରୁଜୁ କରିଛି। ରବିବାର ବରଗଡ଼ ଟାଉନ ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ତପନ କୁମାର ପଟ୍ଟନାୟକ ସୂଚନା ଦେଇ କହିଥିଲେ, ଶନିବାର ଗାନ୍ଧିଛକ ନିକଟ ଫରେଷ୍ଟ ଅଫିସ ସମ୍ମୁଖ ତଥା ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟ ଗଳିରାସ୍ତାରେ ସୁରଜଙ୍କ ମୃତଦେହ ପଡ଼ିଥିଲା। ମୃତକଙ୍କ ବଡ଼ଭାଇ ଶଙ୍କର ଏନେଇ ଏତଲା ଦେବା ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ ସହିତ ଘଟଣାସ୍ଥଳର ଆଖପାଖରେ ରହିଥିବା ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଚଲାଇ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି। ପୂର୍ବ ଶତ୍ରୁତା ଏବଂ ଅବୈଧ ସମ୍ପର୍କକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଭିଆଇଥିବା ଅଭିଯୁକ୍ତମାନେ ବୟାନ ଦେଉଥିବା ବେଳେ ସେ ନେଇ ଅଧିକ ତଦନ୍ତ ଚାଲିଥିବା ଅତିରିକ୍ତ ଏସ୍‌ପି କହିଛନ୍ତି। ସେହିପରି ପୋଲିସକୁ ଭ୍ରମରେ ପକାଇବା ପାଇଁ ଅଭିଯୁକ୍ତମାନେ ସୁରଜଙ୍କୁ ଅନ୍ୟତ୍ର ହତ୍ୟା ପରେ ମୃତଦେହକୁ ସେଠାରେ ପକାଇ ଦେଇ ଚାଲି ଯାଇଥିବା ସ୍ବୀକାର କରିଛନ୍ତି ବୋଲି ଅତିରିକ୍ତ ଏସ୍‌ପି ସୂଚନା ଦେଇଛନ୍ତି। ଏହି ଖବରଦାତା ସମ୍ମିଳନୀରେ ବରଗଡ଼ ଟାଉନ ଥାନା ଆଇଆଇସି ସତ୍ୟଜିତ୍‌ କାଣ୍ଡନକେଲ ମଧ୍ୟ ଉପସ୍ଥିତ ଥିଲେ।

Leave a comment

Design a site like this with WordPress.com
Get started