ସହରୀ ସକାଳ(ଥିଙ୍କର୍ସ ଫୋରମ)

ସହରୀ ସକାଳ
———–
ଏଠି କିନ୍ତୁ ଗୋବରପାଣିରେ
ଖରକାଯାଏନି ମାଟିର ଅଗଣା ||

ପାହାନ୍ତି ପହରୁ ଘଷିମାଜି ଗାଧାଏନି
ଭୂଆସୁଣୀ ବୋହୁ
ଠାକୁର ଘରୁ ଶୁଭେନାହିଁ ସକାଳର ଶୁଭଶଙ୍ଖ
କାଉ ରାବିଲେ ବଢ଼ାଯାଏନି ତିନିମୁଠା କୁରି |

କୂଅର ଚଉତରା ପାଖେ
ଭିଡ଼ ନଥାଏ ବୟସ୍କ ମାନଙ୍କର
ରାଣିଆ ମାଆ ମାନେ
ଦେଖାଯାଆନ୍ତିନି ଏଇଠି ସାହିଭାଇ ଖବର ବାଣ୍ଟିବାକୁ
ତଥାପି ସକାଳ ଆସେ ଏ ସହରକୁ
ରାତିର ସେ କଳାମଚମଚ
ବହଳିଆ ଛାତିଟାକୁ ଚିରି |

ସକାଳ ହେଲେ ଏଇଠି
ହଳୁଆ ନିଏନି ହଳ
ଦାଣ୍ଡପଟୁ ଶୁଭେନାହିଁ ବଳଦଙ୍କ ଟପଟାପ ଚାଲି
ଏଠିକାର ପିଲାମାନେ
ଖେଳନ୍ତିନି ବୋହୁଚୋରୀ ଖେଳ, କବାଡି କି ପୁଆବାଡ଼ି
ସଢ଼େଇ ରେ ରାନ୍ଧନ୍ତିନି
ମିଛ ଭାତ ଡାଲି  |

ଗୁହାଳରୁ ଗାଈ ନେଇ
ଦାଣ୍ଡରେ ବାନ୍ଧିବା ଏଠି କାଇଁ ନାହିଁ
ତଥାପି ସକାଳ ଆସିଲେ
ସହରୀ ସଭ୍ୟତା ବ୍ୟସ୍ତତାରେ କଟେ
ଜୀବନ ଜିଇଁବା ପାଇଁ ଧାଁ ଦୌଡ
କୁସ୍ତି କସରତ କେତେ କଣ ଚାଲେ
ପୋଷା କୁକୁର ସେବାରେ
ସକାଳର ଓଁକାର ଚମକେ |

ଗାଁ ଭଳି ଏଠିକା ସକାଳ
କଦାପି ପୁଣ୍ୟବନ୍ତ ନୁହେଁ |

ଚଢାଦାମରେ ବିକ୍ରିହୁଏ ସକାଳର ସମସ୍ତ ନିର୍ଯାସ
ମନ୍ଦିରର ଘଣ୍ଟିସ୍ଵନ
ବ୍ରାହ୍ମଣଙ୍କ ମନ୍ତ୍ର ପାଠ
ଏମିତି କି ଚେନାଏ ଶୀତଳ ପବନ |

ମିଛର ଖୋଳପାରେ ରହି
ହାଡ଼ମାଂସର କଣ୍ଢେଇଟେ
ସକାଳକୁ
ଦିଏ ଏଠି ଧୂସର ଆହ୍ୱାନ ||
++++ପ୍ରକାଶ ++++

Pages: 1 2

Leave a comment

Design a site like this with WordPress.com
Get started