ଆମ ଭାରତମାତା ଏବେ ଚନ୍ଦ୍ରବିଜୟୀ ହେବା ପରିପ୍ରେକ୍ଷୀରେ ୧୯୭୬ରେ ରଚିତ ତଥା ସେତେବେଳର ଶିଶୁ-ସାହିତ୍ଯ ପତ୍ରିକା “ହୀରା-ମୋତି-ମାଣିକ”ରେ ପ୍ରକାଶିତ ମୋର ଏହି ଶିଶୁ-ମନଲାଖି କବିତାଟିକୁ ପାଠକମାନଙ୍କ ଅବଗତି ନିମନ୍ତେ ଦେବାକୁ ଇଚ୍ଛା କରୁଛି ।
*ମାମୁଁ ହେ, ଘେନ ଜୁହାର*
================
*ପ୍ରମୋଦ କୁମାର ପରିଡ଼ା*
÷÷÷÷÷÷÷÷÷÷÷÷÷÷
ଦୂର ଗଗନର ମାମୁଁ ହେ,
ଘେନ ମୋର ଜୁହାର,
ଭାବୁଛି ମୁଁ କେବେ ଦେଖିବି
ତୁମ ଘର- ଦୁଆର ।
ମାଆ କୋଳୁ ଜାଣେ ତୁମେ ତ
ଆମ ଗଳାମାଳିଆ,
ପୂନେଇଁ ରାତିରେ ଚେହେରା
ସତେ ରୂପା-ଥାଳିଆ !
ତଥାପି ଲାଗଇ ତୁମେ ତ
ଭାରି ମନମୋଟିଆ,
ପୂନେଇଁ ବାସିରୁ ଦେହଟି
ଧୀରେ ହୁଏ ଛୋଟିଆ !
ଅମେଇସିଆରେ ଆକାଶୁଁ
ହୁଅ କେଣେ ଅନ୍ତର,
ଲଗାଅ ମାମୁଁ ହେ କାହିଁକି
ତୁମେ ଏତେ ମନ୍ତର ?
ତୁନି ହୋଇ ଖାଲି ରହିଛ,
କଥା ଜମା କହୁନ;
ବୁଝିଲି ମୁଁ ଏବେ, କାହିଁକି
ତୁମେ ଅଛ ମଉନ ।
ବିଜ୍ଞାନ ବଳରେ ମଣିଷ
ହୋଇଗଲେଣି ଆଗୁଆ,
ସେଥିପାଇଁ ଅଭିମାନରେ
ତୁମେ ହେଲ ରାଗୁଆ !
ମହାକାଶ ଯାନ ରକେଟ
ତୁମ ଦେହେ ଚଳାଇ,
ଜାଣିଲେ ମଣିଷ ତୁମକୁ,
କେଣେ ଯିବ ପଳାଇ ?
ବିଚାରିଲେ ଘର କରିବେ
ଏବେ ତୁମ ମାଟିରେ,
ସୁଯୋଗ ମିଳିଲେ ଭେଟିବି
ଯାଇ ତୁମ ସାଥିରେ ।
****************************
ଉତ୍କଳ ପ୍ରଜ୍ଞା-ପ୍ରତିଭା ପରିଷଦ,
କାଞ୍ଚନ ବଜାର ନିଉ କଲୋନୀ,
ଢେଙ୍କାନାଳ-୭୫୯୦୦୧hia

Leave a comment