
ଗଳ୍ପ
————————————
(( ଭାରି ଭୁଲ ହୋଇଗଲା ))
ସେଦିନ କପିଳାସ ଚନ୍ଦ୍ରଶେଖର ଜୀଉ ମହାଦେବଙ୍କ ପୀଠ କାଉଡ଼ିଆ ଭକ୍ତମାନଙ୍କର ପ୍ରବଳ ସମାଗମରେ ଉଛୁଳି ଉଠୁଥିଲା । ହରହର ମହାଦେବ ଧ୍ୱନିରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଉଥିଲେ ବି ସୁମନ୍ତ ବାବୁ ଟିକିଏ ନିରୋଳାରେ ବସି ଠାକୁରଙ୍କୁ ଧ୍ୟାନ କରିବା ପାଇଁ କୌଣସି ସ୍ଥାନ ନ ପାଇ ଭାରି ବିରକ୍ତି ପ୍ରକାଶ କରୁଥିଲେ । ପିଲାଟି ଦିନରୁ ସେ ଶିବଭକ୍ତ । ଆଜି ଶ୍ରାବଣ ସୋମବାରରେ ପ୍ରଭୁ ଚନ୍ଦ୍ରଶେଖରଙ୍କୁ ଦର୍ଶନ କରିବା ଉଦ୍ଦେଶ୍ୟରେ ଅଫିସରୁ ଛୁଟି ଆଣି ସେ କପିଳାସ ଧାଇଁ ଆସିଛନ୍ତି । ଅବଶ୍ୟ ଅନେକ ଥର ସେ ଆଗରୁ କପିଳାସ ଆସିଛନ୍ତି । କପିଳାସର ଶାନ୍ତ , କାନ୍ତ , କମନୀୟ ପରିବେଶ ତାଙ୍କୁ ଖୁବ ଆକୃଷ୍ଟ କରେ । କଲେଜରେ ପାଠ ପଢିବା ବେଳେ ଓ ଚାକିରୀ ଜୀବନ ମଧ୍ୟରେ ସେ ଅନେକଥର କପିଳାସ ଆସିଛନ୍ତି ଓ ବଣଭୋଜି ମଧ୍ୟ କରିଛନ୍ତି ।
ସୁମନ୍ତ ବାବୁ ମାଆ ପାର୍ବତୀଙ୍କ ମନ୍ଦିର ପାଖରେ ଟିକେ ବସିପଡି ଥକ୍କା ମେଣ୍ଟାଉ ମେଣ୍ଟାଉ କପିଳାସ ସହ ଜଡିତ ଅନେକ ମଧୁର ସ୍ମୃତିକୁ ମନେମନେ ମନେପକାଉଥିଲେ । ଛାତ୍ର ଜୀବନରେ ଅନେକଥର କପିଳାସ ଆସିଥିବା କଥା ଭାବିବା ବେଳେ ତାଙ୍କ ଆଖି ଆଗରେ ନାଚି ଯାଉଥିଲେ ସେତେବେଳର ସାଙ୍ଗସାଥି ଓ ଅଧ୍ୟାପକମାନେ । ଅବଶ୍ୟ ଅନେକ ସାଙ୍ଗସାଥିଙ୍କ ମୁହଁ ଏବେ ଅସ୍ପଷ୍ଟ ଦିଶୁଛି । ତଥାପି ସେତେବେଳର ସ୍ମୃତିମାନେ ଏବେବି ଜୀବନ୍ତ । ଛାତ୍ରାବସ୍ଥାର ସ୍ମୃତି ଭିତରେ ହଜୁହଜୁ ଚାକିରୀ ଜୀବନରେ ଅଫିସ ଷ୍ଟାଫମାନଙ୍କ ସହିତ କପିଳାସରେ ତିନିଚାରିଥର ହୋଇଥିବା ପରିଭ୍ରମଣ ଓ ବଣଭୋଜି କଥା ଭାବୁଭାବୁ ସୁମନ୍ତ ବାବୁଙ୍କର ଆଖି ସାମ୍ନାକୁ ଆସିଯାଇଥିଲେ ସ୍ନିଗ୍ଧା ଦେବୀ ।
ନୂଆନୂଆ କରି ଚାକିରୀରେ ଜଏନ କରିଥାନ୍ତି ସୁମନ୍ତ ବାବୁ । ଯୁବକ ସୁଲଭ ମନରେ କାମ କରିବା ପାଇଁ ପ୍ରବଳ ଆଗ୍ରହ ଥାଏ । ସେହି ସମୟରେ ଅଫିସରେ ଜଏନ କରନ୍ତି ସ୍ନିଗ୍ଧା ଦେବୀ । ସୁମନ୍ତ ବାବୁଙ୍କ ପାଖ ଟେବୁଲରେ କାମ କରିବାକୁ ନିର୍ଦ୍ଦେଶ ଦିଆଗଲା ସ୍ନିଗ୍ଧା ଦେବୀଙ୍କୁ । ସ୍ନିଗ୍ଧା ଦେବୀଙ୍କ ଆକର୍ଷଣୀୟ ଚେହେରା ସହିତ ଯୁବତୀ ସୁଲଭ ହାବଭାବ ଅନେକ ପରିମାଣରେ ପ୍ରଭାବିତ କରିଥିଲା ସୁମନ୍ତ ବାବୁଙ୍କୁ । ମନ ମଧ୍ୟରେ ଧୀରେଧୀରେ ସ୍ନିଗ୍ଧା ଦେବୀଙ୍କ ପ୍ରତି ଖୁବ ଦୁର୍ବଳତା ପ୍ରକାଶ ପାଇଥିଲା ସତ ମାତ୍ର ସ୍ନିଗ୍ଧା ଦେବୀଙ୍କୁ ମୁହଁ ଖୋଲି ନିଜର ଦୁର୍ବଳତା ପ୍ରକାଶ କରିବାର ସତସାହସ ମନ ମଧ୍ୟରେ ଜୁଟାଇ ପାରିନଥିଲେ ସୁମନ୍ତ ବାବୁ । ସ୍ନିଗ୍ଧା ଦେବୀଙ୍କ ମନ ମଧ୍ୟ ସୁମନ୍ତ ବାବୁଙ୍କ ପ୍ରତି ଢଳିଥିଲା ଧୀରେଧୀରେ । ସୁମନ୍ତ ବାବୁଙ୍କ ମିଷ୍ଟ ବ୍ୟବହାର , କାର୍ଯ୍ୟ କରିବାର ଦକ୍ଷତା , ଉଚ୍ଚଶିକ୍ଷା ତଥା ସୌମ୍ୟଦର୍ଶୀ ଚେହେରା ସ୍ନିଗ୍ଧାଦେବୀଙ୍କୁ ବହୁ ପରିମାଣରେ ଆକୃଷ୍ଟ କରାଇଥିଲା ।
ଏହା ଭିତରେ ସମ୍ପର୍କ ଯଦିଓ ଅତି ନିବିଡ଼ ହୋଇଥିଲା ତଥାପି ତାହା ସମ୍ପର୍କକୁ ବନ୍ଧୁତା ପାଖରେ ପୂର୍ଣ୍ଣଛେଦ ପକାଇ ଦେଇଥିଲା । ଅଫିସରେ କାର୍ଯ୍ୟ କରିବା ସହିତ ବସରେ ଯିବାଆସିବା , ଖରାବେଳେ ହୋଟେଲରେ ସାଥି ହୋଇ ଖାଇବା , ଷ୍ଟାଫମାନଙ୍କ ସହିତ ପରିଭ୍ରମଣରେ ଯିବା , ନିଜର ସୁଖଦୁଃଖ ପରସ୍ପର ମଧ୍ୟରେ ବାଣ୍ଟିବା ଭିତରେ ଚାକିରୀର ସମୟ ସୀମା ଦୁଇବର୍ଷ ଗଡି ଯାଇଥିଲା । ଏହା ଭିତରେ ସ୍ନିଗ୍ଧା ଦେବୀଙ୍କ ବିବାହ ଅନ୍ୟତ୍ର ସ୍ଥିର ହୋଇଯାଇଥିଲା । ସ୍ନିଗ୍ଧା ଦେବୀ ଏକଥା ଅନ୍ୟମାନଙ୍କ ପାଖରେ ଗୋପନ ରଖିଥିଲେ । ମାତ୍ର ଯେଉଁଦିନ ତାଙ୍କ ବଡଭାଇ ସ୍ନିଗ୍ଧା ଦେବୀଙ୍କ ବିଭାଘରର ନିମନ୍ତ୍ରଣ କାର୍ଡ ଧରି ଅଫିସରେ ପହଞ୍ଚିଥିଲେ ସେଦିନ ଅନ୍ୟମାନଙ୍କ ଅପେକ୍ଷା ସୁମନ୍ତ ବାବୁଙ୍କୁ ଅଧିକ ଆଶ୍ଚର୍ଯ୍ୟ କରିଦେଇଥିଲା । ସୁମନ୍ତ ବାବୁ ଏକାବେଳକେ ଭାଙ୍ଗି ପଡ଼ିଥିଲେ । ତାଙ୍କ ମନ ମଧ୍ୟରେ ଗଜା ମାରିଥିବା ମଧୁର ପ୍ରେମଟା ଏକାବେଳକେ ଗଜା ମରୁଡ଼ିରେ ପରିଣତ ହୋଇଯାଇଥିଲା । ସ୍ନିଗ୍ଧା ଦେବୀଙ୍କୁ ନେଇ ମନେମନେ ଦେଖିଥିବା ସ୍ବପ୍ନର ତାଜମହଲ ଭୁଷୁଡି
ପଡିଥିଲା । ସେ ଏକାବେଳକେ ଅନ୍ୟମନସ୍କ ହୋଇଯାଇଥିଲେ ନିମନ୍ତ୍ରଣ କାର୍ଡ ଦେଖି ।
ସ୍ନିଗ୍ଧା ଦେବୀ ମଧ୍ୟ ଆଗ ଅପେକ୍ଷା ନିଜକୁ ଟିକେ ସଞ୍ଜତ କରିନେଇଥିଲେ । ଅଫିସରେ କାଳେ କିଏ କ’ଣ ଭାବିବେ ଚିନ୍ତା କରି ଅନ୍ୟମାନଙ୍କ ସହ ଖୁବ କମ ମିଳାମିଶା କରିଥିଲେ ସେତେବେଳେ । ନିଜ ମନ ମଧ୍ୟରେ ସୁମନ୍ତ ବାବୁଙ୍କ ପ୍ରତି ଦୁର୍ବଳତା ଥିଲେ ମଧ୍ୟ ପରିବାର ଦ୍ୱାରା ମନୋନୀତ ବରପାତ୍ରଙ୍କୁ ବିବାହ କରି ସଂସାର କରିବାର ନିଶା ତାଙ୍କୁ ଘାରିବାକୁ ଆରମ୍ଭ କରିଥିଲା । ତାଙ୍କ ପରିବାର ଠାରୁ ଧନଶାଳୀ ତଥା ତାଙ୍କ ଠାରୁ ଅଧିକ ଦରମା ପାଉଥିବା ଉଚ୍ଚ ପଦବୀଧାରୀଙ୍କୁ ବିବାହ କରିବାର ବିଚାରବୋଧ ପାଖରେ ସୁମନ୍ତ ବାବୁ ଖୁବ ସାମାନ୍ୟ ଜଣାପଡୁଥିଲେ ।
ନିର୍ଦ୍ଦିଷ୍ଟ ତିଥିରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ସ୍ନିଗ୍ଧା ଦେବୀଙ୍କର । ସୁମନ୍ତ ବାବୁ ମଧ୍ୟ ଅଫିସ ଷ୍ଟାଫମାନଙ୍କ ସହିତ ପ୍ରଥମ ଥର ସ୍ନିଗ୍ଧା ଦେବୀଙ୍କ ଘରକୁ ଯାଇଥିଲେ ସତ କିନ୍ତୁ ମନେମନେ ସ୍ନିଗ୍ଧା ଦେବୀଙ୍କର ଅନ୍ୟତ୍ର ବିବାହକୁ ସହ୍ୟ କରିପାରୁନଥିଲେ । ଯାହାଙ୍କୁ ନେଇ ସେ ମନେମନେ ଅନେକ ମଧୁର ସ୍ୱପ୍ନ ଦେଖିଥିଲେ ତାହାର ଅନ୍ୟ ଜଣଙ୍କ ସହିତ ବିବାହକୁ ସେ ସହିଥାନ୍ତେ କିପରି ? ସୌଜନ୍ୟ ଦୃଷ୍ଟିରୁ ସେ ସିନା ନିରବ ରହିଥିଲେ କିନ୍ତୁ ମନେମନେ ଈଶ୍ୱରଙ୍କୁ ପ୍ରାର୍ଥନା କରି ଜଣାଉଥିଲେ କୌଣସି କାରଣବଶତଃ ଏ ବାହାଘରଟା ଅଟକି ଯାଆନ୍ତା ନାହିଁ । କୌଣସି ଅଘଟଣ ଘଟି ଯଦି ବିଭାଘର ବନ୍ଦ ହୋଇଯାନ୍ତା ସେତିକିବେଳେ ସେ ତାହାର ଫାଇଦା ଉଠାଇ ସ୍ନିଗ୍ଧା ଦେବୀଙ୍କ ପାଣିଗ୍ରହଣ କରିପାରନ୍ତେ । ସେଥିପାଇଁ ସେ ଈଶ୍ୱରଙ୍କ ନିକଟରେ ମାନସିକ ରଖି ଈଶ୍ୱର କିଛି ଚମତ୍କାରିତା ଦେଖାଇ ଦିଅନ୍ତୁ ବୋଲି ପ୍ରାର୍ଥନା କରୁଥିଲେ ।
ମାତ୍ର ସେମିତି କିଛି ଅଘଟଣ ଘଟି ନ ଥିଲା ସେଦିନ । ଯଥାରୀତି ବର ନିର୍ଦ୍ଦିଷ୍ଟ ସମୟରେ ପହଞ୍ଚି ଥିଲା । ସୁରୁଖୁରୁରେ ବିବାହ ଉତ୍ସବ ସମ୍ପନ୍ନ ହୋଇଥିଲା । କନ୍ୟା ବିଦା ହେବା ପୂର୍ବରୁ ଅଫିସ ଷ୍ଟାଫମାନେ ଭୋଜି ଖାଇ ଉପହାର ଦେଇ କାର୍ଯ୍ୟାଳୟ ଅଭିମୁଖେ ଫେରି ଆସିଥିଲେ ।
ବିଭାଘର ପରେପରେ ସ୍ନିଗ୍ଧା ଦେବୀଙ୍କ ଅନୁପସ୍ଥିତି ସୁମନ୍ତ ବାବୁଙ୍କ ପକ୍ଷେ ଅତ୍ୟନ୍ତ କଷ୍ଟକର ହୋଇଥିଲା । ସବୁବେଳେ ଏକପ୍ରକାର ଅନ୍ୟମନସ୍କତା ଭିତରେ ସେ ସେ ଅଫିସରେ କାର୍ଯ୍ୟ କରୁଥିଲେ ।ଅନେକ ସମୟ ପାଖରେ ପଡିଥିବା ସ୍ନିଗ୍ଧା ଦେବୀଙ୍କ ଚେୟାର ଓ ଟେବୁଲକୁ ଚାହିଁ ମନେମନେ ସ୍ନିଗ୍ଧା ଦେବୀଙ୍କୁ ଖୋଜୁଥିଲେ । ଅଫିସରେ କାର୍ଯ୍ୟ କରିବାରେ ତାଙ୍କର ସେତେଟା ମନୋନିବେଶ ହୋଇପାରୁନଥିଲା । ତଥାପି ବି ଯଥାସମ୍ଭବ ନିଜକୁ ସଞ୍ଜତ କରୁଥିଲେ ସେ ।
ବିଭାଘରର ପ୍ରାୟ କୋଡିଏ ଦିନ ପରେ ଅଫିସରେ ପହଞ୍ଚି ଥିଲେ ସ୍ନିଗ୍ଧା ଦେବୀ । ସେଦିନ ସମସ୍ତଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ ଓ ମିଠା ଖୋଇବାର ଏକ ମାହାଲ ସୃଷ୍ଟି ହୋଇଥିଲା ଅଫିସରେ । ସୁମନ୍ତ ବାବୁ ମଧ୍ୟ ନିଜକୁ ସେହି ଖୁସିରେ ନିଜକୁ ସାମିଲ କରିଥିଲେ। ସହାସ୍ୟ ବଦନରେ ସ୍ନିଗ୍ଧା ଦେବୀ ଓ ତାଙ୍କ ସ୍ୱାମୀଙ୍କ ସହିତ ବର୍ତ୍ତାଳାପ କରିଥିଲେ । ପରେପରେ ଅଫିସରେ ସ୍ନିଗ୍ଧା ଦେବୀ ଧୀରେଧୀରେ ଅଫିସ କାର୍ଯ୍ୟରେ ଯେତେଟା ତତ୍ପରତା ଦେଖାଉଥିଲେ ସୁମନ୍ତ ବାବୁ ମଧ୍ୟ ନିଜ ମନର କଥାକୁ ଆତ୍ମଗୋପନ ରଖି ଅଫିସ କାର୍ଯ୍ୟ ସମ୍ପାଦନ କରୁଥିଲେ । ସ୍ନିଗ୍ଧା ଦେବୀ ଲକ୍ଷ୍ୟ କରିଥିଲେ ଯେ ସୁମନ୍ତ ବାବୁ ତାଙ୍କ ଠାରୁ କ୍ରମଶଃ ଦୂରେଇ ଯାଉଛନ୍ତି । ସ୍ନିଗ୍ଧା ଦେବୀ ମଧ୍ୟ ନିଜକୁ ସେମିତି ଦୂରେଇ ରଖିଲେ ସୁମନ୍ତ ବାବୁଙ୍କ ଠାରୁ । କାରଣ ସେ ଏବେ ବିବାହିତା । ସୁମନ୍ତ ବାବୁଙ୍କ ସହିତ ଆଗ ଭଳି ବ୍ୟବହାର କରିଲେ ଅନ୍ୟମାନେ ତାଙ୍କୁ ଭୁଲ ବୁଝି ପାରନ୍ତି । ଅଫିସ କାର୍ଯ୍ୟ ଠିକଠିକ ଚାଲିଥିଲା ସତ , ମାତ୍ର ଏମାନଙ୍କ ଭିତରେ ସେତେଟା ଆନ୍ତରିକତା ଆଗଭଳି ନଥିଲା ।
ଏହା ଭିତରେ ପ୍ରାୟ ଚାରିପାଞ୍ଚ ମାସ ବିତିଯାଇଥିଲା । ହଠାତ ସ୍ନିଗ୍ଧା ଦେବୀଙ୍କର ବଦଳି ଅର୍ଡର ଆସିଯାଇଥିଲା । ସ୍ନିଗ୍ଧା ଦେବୀଙ୍କ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କର ଚାକିରୀ ବଦଳି କରି ନିଜର ପାଖ ଜାଗାକୁ ନେଇଯାଇଥିଲେ । ସବୁଦିନ ପାଇଁ ସ୍ନିଗ୍ଧା ଦେବୀ ସୁମନ୍ତ ବାବୁଙ୍କ ଆଖିରୁ ଅନ୍ତର ହୋଇଯାଇଥିଲେ । ସୁମନ୍ତ ବାବୁଙ୍କ ପାଇଁ ସେହି ଅଫିସ ଆଉ ଆନନ୍ଦଦାୟକ ନଥିଲା । ବରଂ ମର୍ମନ୍ତିକ ଯନ୍ତ୍ରଣା ଭୋଗିବା ଅପେକ୍ଷା ସେ ନିଜର ଚାକିରୀକୁ ଅନ୍ୟତ୍ର ବଦଳି କରିନେବାର ଆଶା କରି ମଧ୍ୟ ସଫଳ ହୋଇଥିଲେ । ଏହାପରେ ସେ ନିଜେ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସ୍ୱପ୍ନା ଦେବୀଙ୍କ ସହ । ଉଭୟଙ୍କ ସଂସାର ଚାଲିଥିଲା ନିଜନିଜ ଗତିପଥରେ ।
ଏହାପରେ ବିତିଯାଇଥିଲା ଦୀର୍ଘ ଆଠ ବର୍ଷ । କିଏ କାହାର ଖୋଜ ଖବର ରଖି ନଥିଲେ କି ଯୋଗାଯୋଗ ମଧ୍ୟ କରିନଥିଲେ । କିଏ ବା କାହା ସହିତ ଯୋଗାଯୋଗ କରିଥାନ୍ତା ? କାହିଁକି ବା ଯୋଗାଯୋଗ କରାଯାଇଥାନ୍ତା ? କେଉଁ ସ୍ୱାର୍ଥ ଅବା ପୂରଣ ହୋଇଥାନ୍ତା ସେମାନଙ୍କର ? ନିଜ ନିଜର କର୍ମଜଞ୍ଜାଳ ଭିତରେ ଘାଣ୍ଟି ହେଉହେଉ ଯେଉଁଠି ଖାଇବା ଓ ଶୋଇବାର ଅବସର ମିଳୁନି , ସେତେବେଳେ ଅନ୍ୟମାନଙ୍କ କଥା ଭାବିବାକୁ ବେଳ କାହିଁ ? ତାଛଡା ସେମାନଙ୍କ ଚାକିରୀ ଜୀବନରେ ମିଳାମିଶା ଏକ ଘଟଣା ପ୍ରବାହ ହୋଇପାରେ !
ସୁମନ୍ତ ବାବୁ ଏମିତି ଭାବନା ରାଜ୍ୟରେ ଘୁରି ବୁଲୁଥିଲେ । ହଠାତ ଆକାଶରୁ ବର୍ଷା ଝରିବା ଆରମ୍ଭ କରିଦେଲା । ବର୍ଷାରେ ଭିଜିଯିବା ଭୟରେ ଯିଏ ଯୁଆଡେ ମୁଣ୍ଡ ଗୁଞ୍ଜିବା ପାଇଁ ଦୌଡାଦୌଡ଼ି ଆରମ୍ଭ କରିଦେଲେ । ସୁମନ୍ତ ବାବୁ ତରବର ହୋଇ ମୁଖ୍ୟ ମନ୍ଦିର ସାମ୍ନା କାଠ ମଣ୍ଡପ ଉପରକୁ ଉଠି ଆସିଲେ । ସେଠାରେ ମଧ୍ୟ ପ୍ରବଳ ଭିଡ ଲାଗି ଯାଇଥିଲା । ସୁମନ୍ତ ବାବୁ ସେଠାରେ ଛିଡାହୋଇ ଏଣେତେଣେ ନଜର ପକାଇବା ଭିତରେ ତାଙ୍କ ନଜର ଯାହାଙ୍କ ଉପରେ ସ୍ଥିର ହୋଇଯାଇଥିଲା ସିଏ ଆଉ କେହି ନଥିଲେ । ସିଏ ହିଁ ଥିଲେ ସ୍ନିଗ୍ଧା ଦେବୀ । ସୁମନ୍ତ ବାବୁ ଏକ ଲୟରେ ସ୍ନିଗ୍ଧା ଦେବୀଙ୍କୁ ଚାହିଁଥିଲେ । ଦେଖୁଥିଲେ ଦୀର୍ଘ ଆଠ ବର୍ଷର ବ୍ୟବଧାନ ପରେ ସ୍ନିଗ୍ଧା ଦେବୀଙ୍କୁ ସାମ୍ନାସାମ୍ନି । ପରଖୁ ଥିଲେ ସେଦିନ ଏଦିନ ମଧ୍ୟରେ ଥିବା ଫରକକୁ । ଅନ୍ୟମନସ୍କ ଭିତରେ ଥିବା ସ୍ନିଗ୍ଧା ଦେବୀଙ୍କ ନଜର ହଠାତ ପଡ଼ି ଯାଇଥିଲା ସୁମନ୍ତ ବାବୁଙ୍କ ଉପରେ । ସ୍ନିଗ୍ଧା ଦେବୀ ନିଜକୁ ଆଉ ସମ୍ଭାଳି ପାରି ନଥିଲେ । ଭିଡ଼ ଆଡେଇ ସିଧା ଚାଲି ଆସିଥିଲେ ସୁମନ୍ତ ବାବୁଙ୍କ ପାଖକୁ । ସୁମନ୍ତ ବାବୁଙ୍କୁ ଦୁଇ ହାତ ଯୋଡ଼ି ପ୍ରଣାମ ବାଢିଥିଲେ । ସୁମନ୍ତ ବାବୁ ପ୍ରତି ନମସ୍କାର ଜଣାଉ ଜଣାଉ ଅସ୍ପଷ୍ଟ ସ୍ୱରରେ କହିଥିଲେ , ” ହଠାତ ଆପଣ ଏଠି ? କ’ଣ ଏକା ଆସିଛନ୍ତି ନା ସପରିବାର ? ” ସ୍ନିଗ୍ଧା ଦେବୀ କହିଥିଲେ ,” ନା , ମୁଁ ଏକା ଆସିଛି । ଆଜି କାହିଁକି କପିଳାସ ଚନ୍ଦ୍ରଶେଖର ଡୋରି ଲଗାଇ ଟାଣି ଆଣିଲେ ତ ! ତେଣୁ ନ ଆସିବାର ଆଉ ବାଟ ନଥିଲା । ଏଠିକି ଆସିବା ପରେ କେତେ ସ୍ମୃତି ମନେପଡୁଥିଲା । ସେଦିନର ପରିଭ୍ରମଣ ଓ ବଣଭୋଜି କଥା ଭାବିବା ବେଳକୁ ଆପଣ ଖୁବ ମନେପଡୁଥିଲେ । ଯାହାହେଉ ଠାକୁରଙ୍କ କୃପାରୁ ଆଜି ଆପଣଙ୍କ ସହିତ ଭେଟ ହୋଇଗଲା । “
ଏହା ମଦ6ବର୍ଷା ଛାଡି ଯାଇଥିଲା ଧୀରେଧୀରେ । କାଠ ମଣ୍ଡପରୁ ଗହଳି ଏକରକମ କମି ଯାଇଥିଲା । ସୁମନ୍ତ ବାବୁ ଓ ସ୍ନିଗ୍ଧା ଦେବୀ ମଣ୍ଡପ ଉପରେ ବସି ପରସ୍ପର ସହିତ ଅନେକ ବିଷୟରେ କଥା ହେଉହେଉ ହଠାତ ସ୍ନିଗ୍ଧା ଦେବୀ ପଚାରିଥିଲେ ,” ଆପଣଙ୍କ ପରିବାର ବିଷୟରେ କିଛି କହିଲେ ନାହିଁ ଯେ ? ଏଇ ଯେମିତି ଆପଣଙ୍କ ବିବାହ , ସ୍ତ୍ରୀ , ପିଲା …….. । “ସୁମନ୍ତ ବାବୁ ଦୀର୍ଘ ନିଶ୍ଵାସ ପକାଇ ତାଙ୍କ ବୈବାହିକ ଜୀବନ ବିଷୟରେ କହିଥିଲେ ।ଅତ୍ୟାଧୁନିକ ସ୍ତ୍ରୀର ଦୌରାତ୍ମ୍ୟ ସହି ନପାରି ସେ ଏକାକୀ ନିସଙ୍ଗ ଜୀବନ ବିତାଉଥିବା ବେଳେ ସ୍ତ୍ରୀ ନିଜ ବାପଘରେ ଛୋଟିଆ ପୁଅଟିକୁ ଧରି ରହୁଛନ୍ତି । ଘଟଣା ଏତେ ଗଭୀରକୁ ଯାଇଛି ଯେ ଛାଡପତ୍ର ଦେବା ହିଁ ଏକମାତ୍ର ଉପାୟ ବୋଲି ସେ ସ୍ଥିର କରି ନେଇଛନ୍ତି । କେତେ ଆଉ ଅବା ସ୍ତ୍ରୀର ତାଡନା ସେ ସହ୍ୟ କରିଥାନ୍ତେ ? ନିଜର ପୁରୁଷତ୍ୱକୁ ଧିକ୍କାର କରିବା ଛଡା ତାଙ୍କର ଅନ୍ୟ ଗତି କିଛି ନଥିଲା । ସୁମନ୍ତ ବାବୁ ଏଥର ସ୍ନିଗ୍ଧା ଦେବୀଙ୍କ ପାରିବାରିକ ଜୀବନ ବିଷୟରେ ଜିଜ୍ଞାସା କରିଥିଲେ । ସ୍ନିଗ୍ଧା ଦେବୀ ମୁହଁକୁ ତଳକୁ ପୋତି ଗୋଟିଗୋଟି କରି ନିଜର ବୈବାହିକ ଜୀବନର ଘଟଣା ଦୁର୍ଘଟଣାକୁ ବଖାଣୁଥିଲେ । ନିଜର ଚରିତ୍ରହୀନ , ଲମ୍ପଟ , ବେଶ୍ୟାସକ୍ତ , ମଦ୍ୟପ ସ୍ୱାମୀର କଦର୍ଯ୍ୟ ବ୍ୟବହାର ତାଙ୍କୁ ଖୁବ ଅତିଷ୍ଠ କରିଥିଲା । ନିଶାସକ୍ତ ଅବସ୍ଥାରେ ତାଙ୍କ ସ୍ୱାମୀ ରାତି ଅଧରେ ଘରକୁ ଫେରି ତାଙ୍କୁ ମାରପିଟ କରି ଶାରୀରିକ ନିର୍ଯ୍ୟାତନା ଦେବା ସହିତ ଖରାପ ଭାଷାରେ ଗାଳିଗୁଲଜ କରି ମାନସିକ ଯାତନା ଦେଉଥିଲେ । ଫଳରେ ସ୍ନିଗ୍ଧା ଦେବୀଙ୍କ ଜୀବନରୁ ହଜି ଯାଇଥିଲା ଶାନ୍ତି । ବାଧ୍ୟ ହୋଇ ସେ ସ୍ଵାମୀଙ୍କ ସହ ସମ୍ପର୍କ ଛିନ୍ନ କରି ଚାକିରୀ ଜାଗାରେ ସେ ନିଜର ଝିଅଟିକୁ ଧରି ରହୁଛନ୍ତି ।
ଉଭୟେ ଉଭୟଙ୍କ କଥା କହିସାରିବା ପରେ ଏକ ଦୀର୍ଘ ସମୟର ନିରବତା ସେଠାରେ ରାଜୁତି କରୁଥିଲା । ଉଭୟଙ୍କ ଆଖିରେ ଲହଡି ଭାଙ୍ଗୁଥିଲା ଅଶ୍ରୁ । କିଏ କାହାକୁ ବୁଝାଇବ ? କିଏ କାହାକୁ ସାନ୍ତ୍ୱନା ଦେବ ? କିଏ କାହାକୁ କହିବ ପଛକୁ ଫେରିଯାଇ ନିଜର ଉଜୁଡା ସଂସାରକୁ ସଜାଡି ଦିଅ ? ଅନେକ ସମୟ ପରେ ଉଭୟେ ନିଜନିଜର ଲୁହକୁ ପୋଛି ପରସ୍ପରକୁ କେବଳ ଚାହିଁ ରହିଥିଲେ । କିଛି ସମୟ ପରେ ସେମାନଙ୍କ ଓଠରୁ ଝରିଥିଲା କ୍ଷୀଣ ହସ । ସ୍ନିଗ୍ଧା ଦେବୀ ଏଥର ମୁହଁଖୋଲି ନିଜ ମନର ଅବ୍ୟକ୍ତ ବେଦନାକୁ ଆଜି ସୁମନ୍ତ ବାବୁଙ୍କ ଆଗରେ ପ୍ରକାଶ କରି କହିଥିଲେ ତାଙ୍କର ସୁମନ୍ତ ବାବୁଙ୍କୁ ବିବାହ କରିବାକୁ ଶତ ପ୍ରତିଶତ ଆଗ୍ରହ ଥିଲା । କାଳେ ସୁମନ୍ତ ବାବୁ ଏ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେବେ କିମ୍ବା ତାଙ୍କୁ ଭୁଲ ବୁଝିବେ ସେଥିପାଇଁ ସେ ମନଖୋଲି କିଛି କହି ନପାରି ନିଜ ପରିବାରର ପସନ୍ଦ ଯୋଗ୍ୟ ବରପାତ୍ର ସହ ଅନ୍ୟତ୍ର ବିବାହ କରିଥିଲେ । ସେଦିନ ଯଦି ସେ ସୁମନ୍ତ ବାବୁଙ୍କୁ ବିବାହ କରିଥାନ୍ତେ ତେବେ ଆଜିର ଏମିତିଆ ଦିନ ତାଙ୍କୁ ଦେଖିବାକୁ ପଡି ନଥାନ୍ତା । ସୁମନ୍ତ ବାବୁ ମଧ୍ୟ ନିଜ ମନର ଗୋପନ କଥାକୁ ସ୍ନିଗ୍ଧା ଦେବୀଙ୍କୁ ସବୁ ଖୋଲି କହିଥିଲେ । ଏପରିକି ସ୍ନିଗ୍ଧା ଦେବୀଙ୍କ ବିବାହ ଉତ୍ସବରେ କିଛି ଅଘଟଣ ଘଟିଥିଲେ ସେ ସ୍ନିଗ୍ଧା ଦେବୀଙ୍କୁ ସେହିଠାରେ ବିବାହ କରିପାରିଥାନ୍ତେ ବୋଲି କହିବା ବେଳେ କାନ୍ଦି ପକାଇ ଥିଲେ । ସେତେବେଳେ ନିଜ ପରିବାରର ଆର୍ଥିକ ସ୍ଥିତି ତୁଳନାରେ ସ୍ନିଗ୍ଧା ଦେବୀଙ୍କ ଆଭିଜାତ୍ୟ ପରିବାର ନିକଟରେ ଖୁବ ଛୋଟ ମନେକରି ସେ ସିନା କିଛି କରିପାରି ନଥିଲେ , ମାତ୍ର ପରେ ଗଭୀର ମନସ୍ତାପରେ ଖୁବ ଛଟପଟ ହୋଇଥିଲେ । ଏପରିକି ସ୍ନିଗ୍ଧା ଦେବୀଙ୍କ ବଦଳି ପରେପରେ ସେ ଏକପ୍ରକାର ଅଣନିଶ୍ୱାସୀ ହୋଇ କିପରି ସେ ସ୍ଥାନରୁ ନିଜେ ଚେଷ୍ଟା କରି ବଦଳି ହୋଇ ଅନ୍ୟତ୍ର ଚାଲି ଯାଇଥିଲେ ସେକଥା ସେ ଭଲଭାବରେ ବୁଝାଇଥିଲେ ।
ଉଭୟେ ପରସ୍ପରକୁ ଚାହିଁରହି ସ୍ତବ୍ଧ ହୋଇଯାଇଥିଲେ । ଉଭୟଙ୍କ ମନରେ ସେହି ଗୋଟିଏ କଥା ଥିଲା । ଉଭୟଙ୍କ ଭାବାବେଗରେ ସେହି ଗୋଟିଏ ଆଲୋଡନ ଥିଲା । ମାତ୍ର ହାୟ ……… ! କେହି ବି ଜଣେ ସେତେବେଳେ ମୁହଁ ଖୋଲି କହି ଦେଇଥିଲେ କଥାଟା ସରିଯାଇଥାନ୍ତା । ଜୀବନଟା ସରସ ସୁନ୍ଦର ହୋଇଯାଇଥାନ୍ତା । ମାତ୍ର ……. । ନିଜର ଅଲକ୍ଷ୍ୟରେ ଉଭୟଙ୍କ ହାତ ମୁଠା ପରସ୍ପର ହାତମୁଠାକୁ ଜାବୁଡି ଧରିଥିଲା । ଆଖିରେ ଲୁହ ଲହଡି ଭାଙ୍ଗୁଥିଲା । କିଏ କାହାର ଲୁହକୁ ପୋଛିଦେବ ଏବେ ? ଏବେ କ’ଣ କରାଯାଇ ପାରିବ ଦୁଇଟି ଅତୃପ୍ତ ଆତ୍ମା ପାଇଁ ? ପିଲା , ପରିବାର , ସଂସାରକୁ ଉଜାଡ଼ି ଦେଇ ସେମାନେ କ’ଣ ଏବେ ପୁଣି ଯୋଡି ହୋଇଯିବେ ? ତେବେ ସମାଜ ସେମାନଙ୍କୁ କହିବ କ’ଣ ? ନିନ୍ଦା ଓ ସମାଲୋଚନାର ଶରବ୍ୟ ହୋଇ ସେମାନେ ଦାଣ୍ଡରେ ମୁହଁ ଟେକି ଚାଲି ପାରିବେ ତ ? ଯଦି ସେମାନେ ସେମାନଙ୍କ ସ୍ତ୍ରୀ ଓ ସ୍ୱାମୀଙ୍କୁ ଛାଡପତ୍ର ଦିଅନ୍ତି କ’ଣ ହେବ ସେମାନଙ୍କ ପିଲା ଦୁଇଟିର ଅବସ୍ଥା ? ହେଲେ ଉଭୟେ ଏବେ ବଞ୍ଚିବେ କେମିତି ???
ଧୀରେଧୀରେ ସମୟ ଅତିକ୍ରାନ୍ତ ହେବାକୁ ଉପକ୍ରମ କରୁଥିଲା । ଉଭୟଙ୍କର ଘର ବାହୁଡା ବେଳ ହୋଇଯାଇଥିଲା । ପୁଣି ସେମାନଙ୍କୁ ନିଜନିଜର ପରିବେଶ ଭିତରକୁ ଫେରିଯିବାକୁ ପଡିବ । ନିଜର କର୍ମକ୍ଷେତ୍ରରେ ଉପସ୍ଥିତି ହେବାକୁ ହେବ । ହେଲେ କ’ଣ କରିବେ ଏବେ ସେମାନେ ? ଅନେକ ସମୟ ଧରି ଆଲୋଚନା କରିବାର ଅବକାଶ ନଥିଲା ସେମାନଙ୍କର । ସୀମିତ ସମୟ ପରେ ସେମାନେ ଏହି ନିଷ୍କର୍ଷରେ ଉପନୀତ ହୋଇଥିଲେ ଯେ ଯାହାର ଜୀବନରେ ଯେମିତି ପରିସ୍ଥିତି ଆସୁନା କାହିଁକି ନିଜ ପିଲାମାନଙ୍କର ମୁହଁକୁ ଚାହିଁ ସାରା ଜୀବନ ସେମାନେ ଆଉ ସମ୍ପର୍କ ନ ବଦଳାଇ , ନୂଆ ପରିଚୟ ସୃଷ୍ଟି ନକରି ସେମିତି ବନ୍ଧୁତା ସୂତ୍ରରେ ବାନ୍ଧିହୋଇ ରହିବେ । ପରସ୍ପରର ସୁଖଦୁଃଖରେ ଭାଗିଦାର ହେବେ । ଆଉ ପ୍ରଭୁ ଚନ୍ଦ୍ରଶେଖରଙ୍କୁ ପ୍ରାର୍ଥନା କରିବେ ଯେ , ଆସନ୍ତା ଜନ୍ମରେ ପ୍ରଭୁ ସେମାନଙ୍କୁ ଜୀବନ ସାଥି କରିବା ପାଇଁ ସହାୟକ ହେବେ ।
ପ୍ରଭୁ ଚନ୍ଦ୍ରଶେଖରଙ୍କ ମନ୍ଦିରରେ ଘିଅ ଦୀପ ଜାଳି ଉଭୟେ ଏକତ୍ର ବନ୍ଦାପନା କରି ପ୍ରଭୁଙ୍କୁ ନିଜନିଜର ଦୁଃଖ ଜଣାଇବା ସହିତ ଆର ଜନ୍ମରେ ସେମାନଙ୍କୁ ଜୀବନ ସାଥି ରୂପେ ସ୍ୱୀକୃତି ଦେବା ପାଇଁ ପ୍ରଭୁଙ୍କୁ ବିନମ୍ର ନିବେଦନ ବାଢ଼ୁଥିଲେ ।ଆଖିର ଲୁହରେ ନିଜର କୃତକର୍ମକୁ ଧୋଇ ଦେଉଥିଲେ । ପ୍ରଭୁ ଆଶୁତୋଷ ବୋଧହୁଏ ସେମାନଙ୍କ ପ୍ରାର୍ଥନା ସଙ୍ଗେସଙ୍ଗେ ଶୁଣିଥିଲେ । ପ୍ରଭୁଙ୍କ ଠାରେ ଲାଗି ହୋଇଥିବା ଦୁଇଟି ଚମ୍ପା ଫୁଲ ଲିଙ୍ଗ ଦେଶରୁ ତଳକୁ ଖସିପଡ଼ି ଏହି ପ୍ରକୃତ ବାସ୍ତବ ଧର୍ମୀ ପ୍ରେମକୁ ସ୍ୱୀକୃତି ବାଢିଥିଲା ।
******* ନିରଞ୍ଜନ ସାହୁ
ନିହଲ ପ୍ରସାଦ , ଗଁଦିଆ ପାଟଣା
ଢେଙ୍କାନାଳ — ୭୫୯୦୧୬
ମୋ :— ୯୯୩୮୭୪୧୫୮୩
Leave a comment