କବିତା….. ଚନ୍ଦ୍ରସେଣାର ଲୁହ
ଚାରିଆଡେ ଘୋ ଘୋ ଶଙ୍ଖନାଦ
କୃଷ୍ଣଙ୍କର ଜୟ ଜୟ କାର
ସବୁ ପୌରୁଷକୁ
ଚନ୍ଦ୍ରସେଣାର ଦେହଭିତରେ
ହଜେଇ ଦେବାର
ଏକ ଦୀର୍ଘସୁତ୍ରୀ ଯୋଜନା
ଶିଳାନ୍ୟାସ ହେଇସାରିଛି
ଆମ ଅଲକ୍ଷ୍ୟରେ
ଗୋପଦାଣ୍ଡରୁ ଯମୁନା ଯାଏ
ରାଧାମାନଙ୍କ
ପାଉଁଜିର ନିକ୍ୱଣରୁ ଝରିଯାଉଛି
କୃଷ୍ଣ ନାମ
ବାଃ…. ଏମାନେ ବି
ବୁଝନ୍ତିନି କେତେ ପୀଡାପ୍ରଦ
ଏସବୁ
ଦଗାଦିଆ ପ୍ରେମ
ସମସ୍ତେ ଠିଆ
ସମ୍ପର୍କର ମିଛ ପାହାଚରେ
ପବନର ତାଡ଼ନାରେ
ଗୋପାଙ୍ଗନା ବିବସ୍ତ୍ରା ପରେ ବି
କଦମ୍ବ ଡାଳରେ ଝୁଲୁଛି କୃଷ୍ଣନାମେ
ଚରିତ୍ରଟି ଅତି ସନ୍ତର୍ପଣେ
କେତେଦିନ ମାୟାର କୁହୁଡି
ଛାଇଥିବ
ଗୋପପୁର ଦେହର ଭୂଗୋଳେ
କେତେ ଆଉ
ଲୁଚିବ ଏ କଷଣର ଦାଗ
କୃଷ୍ଣ ହସ ମାୟାର ପଟଳେ
ଚନ୍ଦ୍ରସେଣା ଲୁହ ଏଠି ନଈ ଭଳି ବହେ
ପ୍ରତିବାଦ କାହାକୁ କରିବ
ହୃଦୟବଲ୍ଲଭୀ ତାର ନାଚେ ଥେଇଥେଇ
ନନ୍ଦ ରାଜା ପୋଷାପୁଅ
କୃଷ୍ଣ ପାଦତଳେ
+++ପ୍ରକାଶ +++

Leave a comment