ଗୁରୁଙ୍କ ସତ୍ୟକlହାଣି

ନିଛକ ସତ କଥା

ଲେଖକ -ପ୍ରକାଶଚନ୍ଦ୍ର ରାଉତ ଢେଙ୍କାନାଳ

ନିଛକ ସତ କଥା
************
ଜୀବନ ରାସ୍ତାରେ ଚାଲୁ ଚାଲୁ ଏହା ଭିତରେ ମୁଁ ଅର୍ଦ୍ଧ ଶତାବ୍ଦୀ ବର୍ଷ ବୟସର ପାଖାପାଖି ହେଇଗଲିଣି |କେତେ ମଣିଷ ହେଇଛି କେତେ ଅମଣିଷ ହେଇଛି ଜାଣିନି କେତେ ସଫଳତା ପାଇଛି କେତେ ବିଫଳତା ପାଇଛି ହିସାବ କରିନି |ତଥାପି ବଞ୍ଚିଛି |
ମୋ ଜନ୍ମ ସମୟରୁ ମା ବାପା ଙ୍କ ପରେ ଯେଉଁ କେତେ ଜଣ ବିଜ୍ଞ ପ୍ରାଜ୍ଞ ଗୁରୁଙ୍କ ସାନିଧ୍ୟ ଅଥବା ଆଶୀର୍ବାଦ ପାଇଛି ଆଜି ଗୁରୁଦିବସ ରେ ସେମାନେ ବହୁତ ମନେ ପଡନ୍ତି |ମୁଁ ସେଇ ଗୁରୁ ମାନଙ୍କ ମଧ୍ୟରୁ କିଛି ଜଣଙ୍କ ବିଷୟରେ ସମ୍ୟକ ସୂଚନା ଦେବାକୁ କେହି ଯେମିତି ମୋତେ ନିର୍ଦ୍ଦେଶ ଦେଉଛନ୍ତି |
୧ -ସ୍ବର୍ଗତ ରସାନନ୍ଦ କଵି ଶତପଥୀ
————————
ମୁଁ ବଣସିଂହ ଗ୍ରାମ ପଂଚାୟତ ଅନ୍ତର୍ଗତ ଭୂଇଁପୁର ଗ୍ରାମରେ ଜନ୍ମ ହେଲେ ମଧ୍ୟ ମୋତେ ମାତ୍ର 4ବର୍ଷ ବୟସ ବେଳେ ମୋ ମା ବାପା ଆମ ଭୂଇଁପୂର ଗ୍ରାମ ରୁ ମୋ ମାମୁଁ ଘର ବେଲଟିକିରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦାମୋଦରନାଳୀ ଗ୍ରାମକୁ ଆସି ସ୍ଥାୟୀ ଭାବେ ବସବାସ କଲେ |ବାପା ପ୍ରତିରକ୍ଷା ବାହିନୀରେ ଥିବାରୁ ଆମେ ପାଞ୍ଚ ଭାଇ ଓ ମୋ ମା ମାମୁଁ ଘରେ ରହିଲୁ, ପରେ ବାପା ଅବସର ଗ୍ରହଣ କଲାପରେ ସ୍ଥାୟୀ ଘର କଲୁ |ତେବେ ମାମୁଁ ଘରେ ଥିବା ସମୟରେ ମୁଁ ଦାମୋଦର ନାଳୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପଢିବାକୁ ଗଲି |
ସେତେବେଳେ ସେ ବିଦ୍ୟାଳୟ ରେ ପ୍ରଥମ ରୁ ପଞ୍ଚମ ଯାଏ ପଢ଼ିବାର ବ୍ୟବସ୍ଥା ଥାଏ |ପାଞ୍ଚଟି ଶ୍ରେଣୀ କୁ ମାତ୍ର ତିନି ଜଣ ଶିକ୍ଷକ ଆନୁମାନିକ 200ଜଣ ପିଲା |ଲତାଦେଇପୁର ଗ୍ରାମର ରସାନନ୍ଦ ସାର (ରସାନନ୍ଦ କଵି ଶତପଥୀ )ପ୍ରଧାନ ଶିକ୍ଷକ ଏବଂ ଶ୍ରୀଯୁକ୍ତ ସରୋଜ କୁମାର ଷଡ଼ଙ୍ଗୀ ଙ୍କ ସମେତ ଶ୍ରମତୀ ଅନ୍ନପୂର୍ଣ୍ଣା ରାଉତ ସହ ଶିକ୍ଷକ /ଶିକ୍ଷୟିତ୍ରୀ ଭାବେ ଅବସ୍ଥାପିତ ଥିଲେ |ମୁଁ ଭଲ ପଢୁଥିବାରୁ ସବୁ ଶିକ୍ଷକଙ୍କର ପ୍ରିୟ ଥିଲି |ଷଡ଼ଙ୍ଗୀ ସାର ଆଉ ରାଉତ ଦିଦି ଙ୍କ ଠାରୁ ବୟସରେ ଯଥେଷ୍ଟ ବଡ଼ ଥିଲେ ପ୍ରଧାନ ଶିକ୍ଷକ ରସାନନ୍ଦ ସାର ତେଣୁ କେବଳ ଆମେ ପିଲାମାନେ ନୁହେଁ ଆମ ଗାଁ ସାରା ଲୋକ ତାଙ୍କୁ ବୁଢା ସାର ବୋଲି ଜାଣନ୍ତି |
ବୁଢ଼ା ସାର ତାଙ୍କ ଗାଁରୁ ଅରଖ ନୂଆ ସାଇକେଲ ଯୋଗେ ବିଦ୍ୟାଳୟ କୁ ଆସନ୍ତି ଏବଂ ସମ୍ପୂର୍ଣ୍ଣ ଧଳା ଧୋତି ଆଉ ଧଳା ପଂଜାବୀ ରେ ଗାଢ଼ ନୀଳ ରଙ୍ଗ ଦେଇ ପିନ୍ଧନ୍ତି |ଗୋରା ତକ ତକ ଚେହେରା କୁ ନୀଳ ଦିଆ ଧଳା ପୋଷାକ ଭାରି ମାନେ ତାଙ୍କୁ |ବୁଢ଼ା ସାରେ ଯେତିକି ରାଗୀ ସେତିକି ସ୍ନେହୀ |ସେତେବେଳେ ରାଜ୍ୟର ଆର୍ଥିକ ସ୍ଥିତି ଭଲ ନଥାଏ ତେଣୁ ଆମ ସାର ମାନେ ମାସକୁ ମାସ ଦରମା ପାଆନ୍ତି ନାହିଁ ବୋଲି ବଡ଼ ମାନେ କଥା ହେବାର ଶୁଣିଛି |ଦୁଇ ପ୍ରହର ରେ ଯେଉଁ ରିସେସ ହୁଏ ସେତେବେଳେ ଆମେ ତାକୁ ଖାଇ ଛୁଟି କହୁ କାରଣ ସେହି ସମୟରେ ଆମେ ଘରକୁ ଯାଇ ଖାଇ ପିଇ ଫେରିଆସୁ ଯେହେତୁ ଆମ ସମୟରେ mid day meal ର ବ୍ୟବସ୍ଥା ନଥିଲା |ସାର ମାନେ ଚା ମୁଢି କେବେ କେବେ ଭାତ ଡାଲମା କରି ମଧ୍ୟାହ୍ନ ଭୋଜନ କାମ ସାରିଦିଅନ୍ତି |
ଆମକୁ ନିର୍ଦ୍ଦେଶଥାଏ ଖାଇ ସାରି ଘରୁ ଫେରିଲା ବେଳେ ଯିଏ ଯାହା ପାଇବ ସାର ମାନଙ୍କ ପାଇଁ ଘରୁ ଆଣିଥିବେ ଏବଂ ସେହି କାରଣରୁ କିଏ ଜହ୍ନି ଦୁଇଟା, କିଏ ଭେଣ୍ଡି ଦୁଇଟା, କିଏ ଶାଗ ତ କିଏ ସଜନା ଛୁଇଁ ଆଣି ବିଦ୍ୟାଳୟରେ ଗଦା କରନ୍ତି |ଆମର ପରିବା ଚାଷ ନଥିବାରୁ ମୁଁ ଖାଲି ଆଳୁ ପିଆଜ ହିଁ ଆଣିଥାଏ |ଏହି ଆଣିବାରେ ସାର ମାନଙ୍କର ବାଧ୍ୟ ବାଧକତା ନଥିଲା ବରଂ ଆମ ମାନଙ୍କର ପ୍ରତିବଦ୍ଧତା ଅଧିକ ଥିଲା |ଏହି କାର୍ଯ୍ୟଟି କେବଳ ଦିନେ ନୁହେଁ ସବୁଦିନ ଚାଲୁଥିଲା ଯେବେ ବିଦ୍ୟାଳୟ ଖୋଲୁଥିଲା |ଏଥିରେ ଯେଉଁ ଭାବ ଟିକକ ଆତ୍ମସ୍ଥ ହୁଏ ତାହା ଶବ୍ଦରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ |ବୁଢ଼ା ସାରେ ବଡ଼ ବୋଲି ବାଣ୍ଟ ବେଳେ ବଡ଼ ଭାଗ ନେବାର ଦୃଶ୍ୟ ମୁଁ ସ୍ୱଚକ୍ଷୁରେ ଦେଖିଛି |ଅନ୍ୟ ସହାୟକ ଶିକ୍ଷକ ଦୁଇଜଣ ଙ୍କର ଟିକିଏ ବି ଆପତ୍ତି ନଥାଏ ଏଥିରେ |
ଏବେ ସିନା ଯୁଗ ବଦଳିଗଲାଣି, ସେତେବେଳେ ଏତେ ଆଇନ ନଥିଲା କି ବିଦ୍ୟାଳୟ ଗୁଡିକ ଆଜିକାଲି ଭଳି ଦଣ୍ଡମୁକ୍ତ ଅଞ୍ଚଳ ବୋଲି ଘୋଷଣା ହେଇନଥିଲା |ସାମାନ୍ୟ ଭୁଲ କଲେ ଯେଉଁ ଦଣ୍ଡ ମିଳୁଥିଲା ତାହା ଆଜିକାଲି ପିଲାମାନେ ଶୁଣିଲେ ବିଶ୍ୱାସ ମଧ୍ୟ କରିବେ ନାହିଁ…… କ୍ରମଶଃ
(ବିଦ୍ୟାଳୟରୁ ଆଇନ ମହାବିଦ୍ୟାଳୟକୁ ଶୈକ୍ଷିକ ଯାତ୍ରା ବିଷୟରେ ପ୍ରତ୍ୟହ ଦୁଇଧାଡି…..)

Leave a comment

Design a site like this with WordPress.com
Get started