
2-ଶ୍ରୀଯୁକ୍ତ ସରୋଜ କୁମାର ଷଡ଼ଙ୍ଗୀ
ମୋ ଛାତ୍ର ଜୀବନର ଦ୍ଵିତୀୟ ଗୁରୁ ଢେଙ୍କାନାଳ ରାଧାଦେଇପୁର ଗ୍ରାମର ଶ୍ରୀଯୁକ୍ତ ସରୋଜ କୁମାର ଷଡ଼ଙ୍ଗୀ |ବୁଢାସାର (ସ୍ବର୍ଗତ ରସାନନ୍ଦ କବି ଶତପଥୀ )ଙ୍କ ଗାଁ ପାଖର ସେତେବେଳର ଜଣେ ସୁନ୍ଦର ସୋମ୍ୟକାନ୍ତ ଯୁବକ |ଗୋଲ ମୁହଁକୁ କଳା ମଚମଚ ସୁନ୍ଦର ନିଶ ସହ ମନଖୋଲା ହସ ତାଙ୍କର ପରିଚୟ |ଶ୍ରୀଯୁକ୍ତ ଷଡ଼ଙ୍ଗୀ ସାର ଆମକୁ ମୁଖ୍ୟତଃ ଚତୁର୍ଥ ଏବଂ ପଞ୍ଚମ ଶ୍ରେଣୀର ଗଣିତ, ଇଂରାଜୀ ପଢ଼ାନ୍ତି |ସରୋଜ ସାର ଭାରି ମେଳାପୀ |ବୁଢାସାରଙ୍କ ଭଳି ଇଏ ମଧ୍ୟ ଆମ ମାନଙ୍କୁ ବେଳ ଅବେଳରେ ଥାନ ଅଥାନ ରେ ମାଡ଼ଛାଟ ଦିଅନ୍ତି କିନ୍ତୁ ସେତେ ନୁହେଁ |ମୋ ବାପାଙ୍କୁ ସହିତ ସାରଙ୍କର ବେଶ ବନ୍ଧୁତ୍ୱ ଥାଏ |ବାପା ଯେବେ ଛୁଟିରେ ଆସନ୍ତି, ସାର ଆସନ୍ତି ଆମ ଘରକୁ |ଆମ ସାର କ୍ରିକେଟ ପ୍ରେମୀ ବୋଲି ସାରଙ୍କ ପାଇଁ ବାପା ଥରେ ଏକ ରେଡ଼ିଓ, ସ୍ଵିଚ ଵାଲା ଛତା ଆଉ ଚାଇନା ଟର୍ଚ୍ଚ (ସେତେବେଳେ ନୂଆ ନୂଆ ଆସିଥିଲା )ଆଣି ଉପହାର ଦେଇଥିଲେ |ସରୋଜ ସାର ପାଠ ପଢ଼ାଇବା ସହ ଶନିବାର ଶ୍ରେଣୀଗୃହର ମାଟି ଚଟାଣକୁ ଗୋବରରେ ଲିପେଇବା ଦାୟିତ୍ୱ, ବଗିଚା କାମର ଦାୟିତ୍ୱରେ ଥାଆନ୍ତି |ପ୍ରତ୍ୟେକ ଶନିବାର ଦିନ ଅଳ୍ପ ଟିକେ ପାଠପଢା ପରେ ପୁଅ ପିଲାମାନେ ଗୋବର ଯୋଗାଡ଼ରେ ଲାଗିପଡନ୍ତି, ଗୋବର ଆଣିଲା ପରେ ପାଣି ଯୋଗେଇ ଦିଅନ୍ତି |ଝିଅ ମାନେ ଘର ଲିପନ୍ତି |ତାପରେ ବଗିଚା କାମ ହୁଏ |ବଗିଚାରେ ଋତୁ ଅନୁଯାୟୀ କିଛି ପନି ପରିବା ଚାଷ ହୋଇଥାଏ |ସେ କାର୍ଯ୍ୟ କରିବା କଥା ଆଜି ଭାବିଲେ ପ୍ରାଚୀନ ଗୁରୁକୁଳଶିକ୍ଷା ବ୍ୟବସ୍ଥା କଥା ମନେ ପଡ଼ିଯାଏ |ସାରଙ୍କ ସାଇକେଲ ନଡ଼ିଆ ତେଲରେ ପୋଛିବା ଆମର ଶନିବାର କାର୍ଯ୍ୟସୂଚୀ ରେ ଏକ ଅଲିଖିତ ଶିରୋନାମା ବହନ କରେ |
ସରୋଜ ସାର ଭାରି କ୍ରିକେଟ ପ୍ରେମୀ |କ୍ରିକେଟ ଖେଳ ସମୟରେ ସେ ରେଡ଼ିଓ ଟିଏ କାନରେ ଦେଇ ଧାରା ବିବରଣୀ ଶୁଣନ୍ତି ଏବଂ କେତେକ ଆଞ୍ଚଳିକ କ୍ରିକେଟ ମ୍ୟାଚରେ ଅମ୍ପାୟାର ମଧ୍ୟ ହେବାର
ମୁଁ ଦେଖିଛି |ବହୁତ ଭଲ ପଢ଼ାନ୍ତି ସରୋଜ ସାର |କିନ୍ତୁ ପଢେଇବା ପାଇଁ ସେ ଯେତିକି ପ୍ରିୟ ତାଠୁ ଅଧିକ ପ୍ରିୟ ଥିଲେ ତାଙ୍କର ମେଳାପୀ ଚରିତ୍ର ପାଇଁ |
ସରୋଜ ସାରଙ୍କ ବିଷୟରେ ଲେଖିଲା ବେଳେ ଗୋଟିଏ ଘଟଣା ଏବେ ବି ଜିଇଁଉଠେ ମନଭିତରେ |
ମୁଁ ସେତେବେଳେ ପଞ୍ଚମ ଶ୍ରେଣୀର ଛାତ୍ରଥିଲି |ଶ୍ରେଣୀରେ ପ୍ରଥମ ହେଉଥିଲି ବୋଲି ଏବଂ ବାପାଙ୍କ ସହ ବନ୍ଧୁତା ଥିବାରୁ ମୁଁ ଟିକେ ଅଧିକା ସ୍ନେହ ପାଇଲାଭଳି ଅନୁଭବ କରେ ତାଙ୍କଠୁ |ଦିନେ ସେ ମୋତେ ତାଙ୍କ ଘରକୁ ନେବା ପାଇଁ ଇଚ୍ଛା କଲେ |ମୁଁ ବି ଖୁସି ହେଲି |ଛୋଟ ପିଲା ଥିଲି |ସାର ଡାକୁଛନ୍ତି ମାନେ ଯିବି |ଯିବା ଆଗରୁ ଏକୁଟିଆ କେମିତି ଯିବି ଭାବି ମୋ ସଙ୍ଗାତ (ନିକଟସ୍ଥ ସୋଗରପଶି ଗ୍ରାମର ପ୍ରତାପ ମହାନ୍ତି )ଙ୍କୁ ସାଙ୍ଗ କଲି |ଆମେ ଦୁଇ ଜଣ ଯିବୁ ବୋଲି କହିବାରୁ ସାର ବି ରାଜି ହେଲେ |ଖରାଦିନ ହୋଇଥାଏ |ମୋର ମନେ ଅଛି ସେଦିନ ଶନିବାର ଥିଲା |ସାର ଆମଦୁଇଜଣ ସାଙ୍ଗଙ୍କୁ ସାଇକେଲ ରେ ବସେଇ ତାଙ୍କ ଗାଁ କୁ ନେଇଗଲେ |ସେଠି ପହଁଚିଲା ବେଳକୁ ସନ୍ଧ୍ୟା ହୋଇଥାଏ |ସେତେବେଳେ ସାରଙ୍କ ଏକ ମାତ୍ର ଝିଅ ତୃତୀୟ ଶ୍ରେଣୀର ଛାତ୍ରୀ |ସାରଙ୍କ ଧର୍ମପତ୍ନୀ ବହୁତ ଭଲ ମଣିଷ |ଆମକୁ ଦେଖି ଜଳଖିଆ ବନ୍ଦୋବସ୍ତ କରିଦେଲେ |ଆମେ ବି ଭୋକିଲା ଥିବାରୁ ଖାଇଦେଲୁ |କିନ୍ତୁ ଚଷା ପିଲାମାନେ ବ୍ରାହ୍ମଣ ଘରେ ଖାଇଲେ,ଖାଇବା ବାସନ ନିଜେ ମାଜିବେ ଏ କଥା ଆମକୁ ଅଜଣା ଥିଲା |ରାତି ଖାଇବା ପୂର୍ବରୁ ଆମେ ବସିଥିବା କୋଠରୀ କୁ ସରୋଜ ସାର ଆସି ଅନେକ କଥା ହେଲେ |ଆମେ ତାଙ୍କ ଘରେ ଅତିଥି ହେଲେ ବି ସାର ଙ୍କ ଛାତ୍ର ଥିବାରୁ ଆମକୁ ଭାରି ଡର ଲାଗୁଥାଏ |ତଥାପି କିଛି ସମୟ ଏପଟ ସେପଟ କଥା ହେଲୁ |କଥା ସରିଲା ରାତି ପ୍ରାୟ ୯ ଟା ହେଲା |ସାର, ତାଙ୍କ ଝିଅ ଆଉ ଧର୍ମପତ୍ନୀଙ୍କୁ ଆଦେଶ ଦେଲେ ପିଲାଙ୍କୁ ଖାଇବାକୁ ଦିଅ |ସେପଟୁ ହଁ ଦେଉଛି ଶୁଣିଲା ପରେ ସାର ଅନ୍ୟ ଏକ କୋଠରୀ କୁ ଗଲେ ଯେଉଁଠି ତାଙ୍କ ବୁଢା ବାପା ଶୋଉଥିଲେ |ହେଲେ ଯିବା ପୂର୍ବରୁ ସାରଙ୍କର ଗୋଟିଏ ମାତ୍ର ବାକ୍ୟ ମୋ ଭୋକ ମାରିଦେଲା |ସାର କହିଲେ, ପିଲେ ଖରାପ ଭାବିବନି, ଆମେ ଯେହେତୁ ବ୍ରାହ୍ମଣ ଘର ଲୋକ, ତେଣୁ ତୁମ ଅଇଁଠା ବାସନ ଆମ ଲୋକ ଧୋଇଲେ ତୁମର ପାପ ହେବ ପୁଣି ସାହି ଭାଇ ଜାଣିଲେ ଅସୁବିଧା ଅତଏବ ତୁମେ ଟିକେ ଖାଇବା ବାସନ ଗୁଡା ଖାଲି ପାଣି ରେ ପିଛୁଳେଇ ଦେବ |
ଏକଥା ଶୁଣି ମୋ ମୁଣ୍ଡ ବିଗିଡ଼ିଗଲା |ଭାବିଲି ସକାଳୁ ଉଠି ଚାଲିଚାଲି ଗାଁ କୁ ଫେରିଯିବି |ବହୁତ ହେଇଗଲା ଗୁରୁଘରେ କୁଣିଆଁ ପଣ |
ସେ ଯାହା ହଉ, ଖାଇବା ଆସିଲାପରେ ଆମେ ତିନିଜଣ, ମୁଁ, ମୋ ସଙ୍ଗାତ ଏବଂ ସାର ଙ୍କ ଝିଅ ଏକାଠି ଖାଇଲୁ |ଖାଇଲାପରେ ସାର ଙ୍କ ଧର୍ମପତ୍ନୀ ବାହାରହାଣ୍ଡି (ସେତେବେଳେ ବାହାରେ ଏକ ସିମେଣ୍ଟ କୁଣ୍ଡରେ ପାଣି ରଖା ଯାଉଥିଲା ଆଉ ସେଇଠି ଅଇଁଠା ବାସନ ମାଜିବା କାମ ହେଉଥିଲା, ମଜା ସରିଲେ ତାଟି କିମ୍ବା ପୁରୁଣା ବାଉଁଶ କୁଲା ଟିଏ ସେ କୁଣ୍ଡ ଉପରେ ଘୋଡେଇ ଦିଆଯାଉଥିଲା )ପାଖରେ ଠିଆ ହେଇ ବାସନ ଗୁଡା କେମିତି ପାଣି ପକେଇ ପିଛୁଳେଇ ଦେବାକୁ ହୁଏ କହି ଦେଉଥିଲେ |ଯା ହଉ ଖାଇବା ପିଇବା ସରିଲାପରେ ଆମେ ସାର ଙ୍କ ଖଟ ଉପରେ ଶୋଇବାର ବ୍ୟବସ୍ଥା କରାଗଲା |ଆମେ ପିଲାମାନେ ବିଛଣାରେ ଗଡୁଗଡୁ ଶୋଇ ପଡ଼ିଲୁ |
ରାତି ପାହିସକାଳ ହେଲା |ମୋ ନିଦ ଆଗ ଭାଙ୍ଗିଲା |ଆଖି ଟିକେ ମଳିମଳି ମୁଁ ତଳକୁ ଚାହିଁ ଯାହା ଦେଖିଲି, ଭୟରେ ମୋ ମୁଣ୍ଡ ବୁଲେଇଦେଲା ଭଳି ଲାଗିଲା |ଏ କଣ ଆମେ ଶୋଇଛୁ ଖଟ ଉପରେ ଆଉ ସରୋଜ ସାର ଶୋଇଛନ୍ତି ଭୂଇଁରେ ସପଟିଏ ପାରି ଆମ ଖଟ ତଳକୁ?
ଇଏ କି ଅସଂଗତିଆ କଥା?
ଭୟ ଆଉ ଲାଜରେ କିଛି କହିବା ଆଗରୁ ସଙ୍ଗାତଙ୍କୁ ଚିମୁଡି ଦେଇ ନିଦରୁ ଉଠେଇବାକୁ ଉଦ୍ୟମ କଲି |ସଙ୍ଗାତେ ହଠାତ ଚିଲେଇଦେବାରୁ ସାରଙ୍କ ନିଦ ବୋଧହୁଏ ଭାଙ୍ଗିଗଲା |ସାର ଉଠି ପଡି ତାଙ୍କ ଗାଁ ଯୋଡ଼କୁ ଆମ ଦୁଇ ଜଣଙ୍କୁ ସାଙ୍ଗରେ ନେଇ ଗଲେ ସିଆଡେ ଦାନ୍ତ ଘଷିବା, ଦୁଇ ଯିବା ଏବଂ ଗାଧୁଆ କାମସାରି ଫେରିଲୁ ଆଉ ପଖାଳ, ବାରମଜା, ସହ ମସଲାଦିଆ ଘରତିଆରି ଆମ୍ବଖଟା ପେଟେପେଟେ ଖାଇଦେଇ ରବିବାର ଥିବାରୁ ସାରଙ୍କ ସହ ତାଙ୍କ ଗାଁ ଆଉ ନଦୀ କୂଳ ବୁଲିବାକୁ ଗଲୁ |
ସିଏ ଆମ ସାର ଆଉ ଆମେ ତାଙ୍କ ଛାତ୍ର, ଏକଥା ଆମେ ଭୁଲିଗଲୁ ଓଲଟା ଆମେ ତିନିଜଣ ସାଙ୍ଗ ଭଳି ବୁଲିଲୁ |କି ସ୍ନେହ ସତରେ |
ଏମିତି ଭଲ ପାଇବା ଆଜିକାଲି ଶିକ୍ଷକ ମାନେ ପିଲାମାନଙ୍କୁ ଦିଅନ୍ତେନି?
ବୁଲାବୁଲି ସାରି ଦ୍ବି ପ୍ରହର ବେଳକୁ ଆସି ଖିଆପିଆ ହେଲା |ଏଥର କିନ୍ତୁ କାହିଁକି କେଜାଣି ନିଜ ବାସନ ନିଜେ ମାଜିବା ପାଇଁ କୁଣ୍ଠାବୋଧ କରିନଥିଲି ମୁଁ |ସରୋଜ ସାରେ, ମୁଁ ଆଉ ମୋ ସଙ୍ଗାତ ତିନିଜଣ ଯାକ ସେଇ ଖଟରେ ଶୋଇଲୁ |ସାର ଙ୍କ ପାଖେ ଶୋଇଲେ କି ନିଦ ଆସେ? ମତେ ତ ଭାରି ଡରଡର ଲାଗୁଥିଲା |ସାର କିନ୍ତୁ ଖୁସି ଥିଲାପରି ଜଣା ପଡୁନଥିଲେ |କିଛି ସମୟ ଏପଟ ସେପଟ ହେଲାପରେ ସାର କହିଲେ ବୁଝଲୁ ପ୍ରକାଶ, ଏ ବ୍ରାହ୍ମଣବାଦୀ ଚିନ୍ତାଧାରା ଆଉ ବେଶିଦିନ ନୁହେଁ |ତା ଛଡା ଗୋଟେ କଥା ମନେରଖ, ଯଦି କେବେ ନିଜ ଅଇଁଠା ବାସନ ନିଜେ ମାଜିବାକୁ ପଡେ କେବେ ଶଙ୍କା କରିବନାହିଁ |ଭବିଷ୍ୟତରେ ତମେ ସବୁ ବାହାରକୁ ଗଲେ, ତୁମ ବାସନ କିଏ ମାଜିବ? ତେଣୁ ନିଜ କାମ ନିଜେ କଲେ ଭଲ |ଅଳ୍ପ ବୟସ ର ହେଲେ ମଧ୍ୟ ମୁଁ ଆମ ସାରଙ୍କ ମନ ଭିତରର କଷ୍ଟ ବୁଝିବାକୁ ସମର୍ଥ ଥିଲି |ଏମିତି ଏମିତି ରେ ରବିବାର ଦିନଟି କଟିଗଲା |ସୋମବାର ସକାଳୁ ସେଇ ଯୋଡ କୁ ଯାଇ ନିତ୍ୟକର୍ମ ସାରି ଖିଆପିଆ କରି ସାରଙ୍କ ଆମେ ଗାଁ କୁ ଫେରିବାକୁ ପ୍ରସ୍ତୁତ ହେଲୁ |
କିନ୍ତୁ ସେହିଦିନଠାରୁ ଆଜିଯାଏ କୌଣସି ବ୍ରାହ୍ମଣ ବନ୍ଧୁଙ୍କ ଘରେ ଖାଦ୍ୟ ଗ୍ରହଣ କଲାବେଳେ ମୋର ସେଇ ବାସନ ମାଜିବା ସ୍ମୃତି ଜୀବନ୍ତ ହୋଇ ନାଚି ଉଠୁଛି ମୋ ଆଖି ସାମ୍ନାରେ ଯଦିଓ ଏବେ କେଉଁଠି ସେ ପ୍ରକାର ଅଲଗଡ଼ିଆ ବ୍ୟବସ୍ଥା ମୁଁ ଆଉ ଦେଖୁନି |ମୋର ମନେ ଅଛି ଆସିଲା ବେଳେ ସେଦିନ ସାରଙ୍କ ସ୍ତ୍ରୀ ମୋ ହାତରେ ମୁଁ ଭଲପାଇଥିବା ସେଇ ଆମ୍ବ ଖଟା ମେଞ୍ଚେ ଦେଇଥିଲେ ଯାହା ମୁଁ ପ୍ରାୟ ପନ୍ଦର ଦିନ ପର୍ଯ୍ୟନ୍ତ ଭାତ ସହ ଖାଇଲି |
ବିଦ୍ୟାଳୟରେ କିନ୍ତୁ ମୋର ଆଉ ମୋ ସଙ୍ଗାତଙ୍କର ଖାତିର ବଢିଗଲା କାରଣ ଆମେ ସାରଙ୍କ ଘରେ କୁଣିଆଁ ହେଇଛୁ |
ଆମେ ପଞ୍ଚମ ପାସ କରି ମାଇନର ପଢିବାକୁ ବେଲଟିକିରି ଗଲୁ ହେଲେ ସରୋଜ ସାରଙ୍କ ଭଲପାଇବା ସେମିତି ଅତୁଟ ଥିଲା |
ଏହା ଭିତରେ ଅନେକ ବର୍ଷ ବିତିଗଲା |ପ୍ରାୟ 40ବର୍ଷ |ଥରେ ଦୁଇଥର ସରୋଜ ସାରଙ୍କୁ ଦୂରରୁ ଦେଖିଛି କିନ୍ତୁ କଥା ହେବାର ସୁଯୋଗ ପାଇନଥିଲି |ମନେ ମନେ ବହୁତ ଖୋଜିଲି ମାତ୍ର ସାର ଗାଁ ଛାଡି ସହର ପାଖାପାଖି ରହୁଥିବାରୁ ଖବର ପାଇବା ସମ୍ଭବ ହେଲାନାହିଁ |ସାରଙ୍କ ସାନପୁଅ ସହରରେ ଏକ ଦୋକାନ ଦେଇଛି ଶୁଣି ତା ପାଖକୁ ଯାଇ ସାରଙ୍କ କଥା ବୁଝିଲି ଆଉ ସାର ଭଲ ଅଛନ୍ତି ଶୁଣି ଖୁସି ହେଲି |
ସତ କହିଲେ ଭାଗ୍ୟରେ ଥିଲେ କୌଣସି ଛାତ୍ରକୁ ଏମିତି ଶିକ୍ଷକ ମିଳନ୍ତି |ମୁଁ ତ ଦୃଢ଼କଣ୍ଠ ରେ କହିବି ଆମ ସାର ମାନେ ସେତେବେଳେ ଯେତିକି ସ୍ନେହୀ ଥିଲେ ସେତିକି ସ୍ନେହୀଶିକ୍ଷକ ଆଜି ସମାଜରେ ବହୁତ କମ ସଂଖ୍ୟାରେ ମିଳିବେ |
ଏଭଳି ଜଣେ ଛାତ୍ର ବତ୍ସଳ ଶିକ୍ଷକଙ୍କୁ ଯଦି କୌଣସି ଛାତ୍ର କି ଛାତ୍ରୀ ପ୍ରାୟ 40ବର୍ଷ ବ୍ୟବଧାନରେ ଆଖି ସାମ୍ନାରେ ଦେଖିଦିଏ, ତାକୁ କେମିତି ଅନୁଭବ ଆସିବ?
ଚଳିତ ବର୍ଷ ପଣାସଂକ୍ରାନ୍ତିରେ ଏକ ସାହିତ୍ୟ ସଭାରେ ସରୋଜ ସାରଙ୍କୁ ଦେଖିଲାପରେ ମୋ ଆନନ୍ଦର ସୀମା ରହିଲା ନାହିଁ |କାଳ ବିଳମ୍ବ ନକରି ସାରଙ୍କ ପାଖକୁ ଯାଇ ପ୍ରଣାମ କଲି |ଦୀର୍ଘ ବର୍ଷର ବ୍ୟବଧାନ ସହିତ ସାରଙ୍କ ବୟସ ବଢ଼ିଯାଇଥିବା କାରଣରୁ ପ୍ରଥମେ ସାର ସିନା ଚିହ୍ନି ପାରିଲେ ନାହିଁ କିନ୍ତୁ ସାମାନ୍ୟ ଚିହ୍ନାଦେଲାପରେ ସେ ବିଦେଶରୁ ଫେରିଥିବା ପୁଅର ବାପାଟିଏ ଭଳି ଖୁସିରେ ଗଦଗଦ ହେଇଗଲେ |
ମୁଁ କବିତା ପଢ଼ିବି ଜାଣି ଆହୁରି ଖୁସିହେଲେ ଅଳ୍ପ ହସି ଦେଇ କହିଲେ ଯାହାହେଉ ଆଜି ଗୁରୁଶିଷ୍ୟ ଏକା ମଞ୍ଚରେ କବିତା ପଢିବା |ହଁରେ ଏଇଟା ମୋ ଫୋନ ନଂ ରଖ, ସହର ପାଖରେ ଘରଟିଏ କରିଛି ପିଲାମାନଙ୍କୁ ଧରି ଆସେ କେବେ |
ହଁ ଭରି କବିତା ପାଠ କଲୁ ଉଭୟ ଅନ୍ୟ କବି ମାନଙ୍କ ସହ |ସଭାଶେଷରେ ସାର ମୋ ନିକଟକୁ ଆସି ମୋ ମୁଣ୍ଡ ଆଉଁସି ଦେଇ କହିଲେ ଆହୁରି ଲେଖେ |ଭଲ ନାଁ କର ପୁଅ |
ଦରବୁଢ଼ା ବୟସର ମଣିଷ ମୁଣ୍ଡରେ ହାତରଖି ପୁଅ ବୋଲି କେବଳ ସେଇ ହିଁ ସମ୍ବୋଧନ କରିପାରିବେ ଯିଏ ଆମକୁ ପୁଅ ବୋଲି ଭାବନ୍ତି |
ସତକହିବାକୁ ଗଲେ ସରୋଜ ସାର ହିଁ ମୋ ଜୀବନର ଅନ୍ୟତମ ଗୁରୁ ଯାହାଙ୍କ ପାଇଁ ମାମୁଁ ଘର ଗାଁରେ ମୁଁ ଜଣେ ମେଧାବୀ ଛାତ୍ର ବୋଲି ପରିଚିତ ହେଲି |
କ୍ରମଶଃ…….
Leave a comment