ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ କ୍ୟାମ୍ପସ ରେ ମହିଳାଙ୍କ ତଣ୍ଟିଚିପି ହତ୍ୟା ଉଦ୍ୟମ

*ଅସୁରକ୍ଷିତ କ୍ୟାପିଟାଲ୍‌ ହସ୍ପିଟାଲ୍‌ କ୍ୟାମ୍ପସ୍‌: ମହିଳାଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ*

କ୍ୟାପିଟାଲ୍‌ ହସ୍ପିଟାଲ୍‌ କ୍ୟାମ୍ପସ୍‌ ମହିଳାଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି। ଗତକାଲି ରାତିରେ ଶିଶୁ ବିଭାଗ ବାରଣ୍ଡାରେ ଜଣେ ମହିଳାଙ୍କୁ ଅସଦାଚରଣ କରାଯିବା ସହ ତାଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ସଙ୍ଗିନ୍‌ ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।

ସେ ହେଲା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଡ଼ୁଆସାହି ଅଞ୍ଚଳର ରଞ୍ଜନ ସେଠୀ(୩୫)। ପୁଲିସ ସୂଚନାନୁସାରେ, ଅଭିଯୋଗକାରୀ ମହିଳା ନିଜର ୫ ବର୍ଷର ଝିଅକୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ର ଶିଶୁ ବିଭାଗକୁ ଚିକିତ୍ସା ପାଇଁ ନେଇ ଆସିଥିଲେ। ଗତକାଲି ରାତିରେ ମହିଳା ଉକ୍ତ ବିଭାଗ ନିକଟରେ ଶୋଇଥିବା ସମୟରେ ରଞ୍ଜନ ତାଙ୍କ ନିକଟକୁ ଆସିଥିଲା ଏବଂ ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲା।

ମହିଳା ଏହାକୁ ବିରୋଧ କରିବାରୁ ଅଭିଯୁକ୍ତ ତାଙ୍କୁ ଚାପୁଡ଼ା ମାରି ଧମକ ଦେଇଥିଲା ଓ ତାଙ୍କର ତଣ୍ଟିକୁ ଚିପି ଧରିଥିଲା। ଅସଦାଚରଣର ଶିକାର ମହିଳା ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ରଞ୍ଜନକୁ ଗିରଫ କରିଥିଲା। ଆଶ୍ଚର୍ଯ୍ୟ ଓ ଦୁର୍ଭାଗ୍ୟର କଥା ହେଉଛି, କ୍ୟାପିଟାଲ୍‌ ହସ୍ପିଟାଲ୍‌ କ୍ୟାମ୍ପସ୍‌ ସୁରକ୍ଷା ଦାୟିତ୍ବରେ ମାଳମାଳ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ଏହା ସତ୍ତ୍ବେ ହସ୍ପିଟାଲ୍‌ ପରିସରରେ ଏକ ଵାର୍ଡରେ ପଶି ମହିଳାଙ୍କୁ ଅସଦାଚରଣ କରାଯିବା ଘଟଣା ହସ୍ପିଟାଲ୍‌ରେ ଆଲୋଡନ ସୃଷ୍ଟି କରିଛି।

Leave a comment

Design a site like this with WordPress.com
Get started