ଉଠରେ ଉଠ କବି:ଗଣତନ୍ତ୍ର ସୈଦ୍ଧ ଭୁଶୁଡି ଯାଉଛି, ବୁଡ଼େ ସ୍ୱାଧୀନତା ରବି, ଚୁପହୋଇ ଆଉ କେତେ ତୁ ବସିବୁ ଦେଖିବାକୁ ନଗ୍ନ ଛବି, ଉଠ ଉଠରେ କବି,

ଉଠରେ ଉଠ କବି
—————–
ଗଣତନ୍ତ୍ର ସୌଧ ଭୁଶୁଡି ଯାଉଛି
ବୁଡ଼େ ସ୍ୱାଧୀନତା ରବି
ଚୁପ ହେଇ ଆଉ କେତେ ତୁ ବସିବୁ
ଦେଖିବାକୁ ନଗ୍ନ ଛବି
ଉଠରେ ଉଠ କବି
ଲେଖନୀରେ ତୋର ବଜ୍ରପାତ ହେଉ
ଜଣ ତନ୍ତ୍ର ଯାଉ ଦବି
ଉଠରେ ଉଠ କବି (1)

ନୁହେଁ ତୁ ଦୁର୍ବଳ ନୁହେଁ ତୁ ଛାଗଳ
ବୀର ମାଟିର ତୁ ଛୁଆ
ମିଛଟାକୁ ମିଛ ସତଟାକୁ ସତ
କହିବାକୁ ଡର କିଆଁ
ଉଠ ରେ ଉଠ କବି
ଜାଳିଦେ ଆଜି ତୁ ସଂଗ୍ରାମର ନିଆଁ
ଅସତ୍ୟ କୁ ଅନୁଭବୀ
ଉଠରେ ଉଠ କବି.. (2)

ଭୋଟ ଦେଇକି ତୁ ବାଛିଲୁ ସର୍କାର
ସଚିବ ହାତରେ ଚାବି
ମନ୍ତ୍ରୀ ବିଧାୟକ ତାହାର ସେବକ
ଟିକେଟ ପାଇଁ ଏ ଲବି
ଉଠରେ ଉଠ କବି
ହାଡ଼ରୁ ମାଉଁସ ଝଡ଼େଇ ଦେ ତୁ
କବିତା ରେ ଦେଇ ଖୋବି
ଉଠରେ ଉଠ କବି (3)

ଇଂରେଜ ପରାଏ ତାମିଲ ଶାସକ
ଦେଖାଉଛି ପରାକ୍ରମ
ଗାତୁଆ ମୂଷା ତୋ ରାଇଜର ନେତା
ମିଛେ ବାହୁଛନ୍ତି ଢମ
ଉଠରେ ଉଠ କବି
ଅନ୍ୟ କେହି ଏଠି ଉଠାଇଲେ ସ୍ୱର
ଚାପିବାକୁ ହୁଏ ଲବି
ଉଠରେ ଉଠ କବି (4)

ତେଲିଆ ମୁଣ୍ଡରେ ତେଲ ସର ସର
ନୁଖୁରା ମରୁଛି କାନ୍ଦି
ବିକାଶ ନାମରେ ଲୁଣ୍ଟନ ଚାଲୁଛି
ଆହା କି ସୁନ୍ଦର ଫନ୍ଦି
ଉଠରେ ଉଠ କବି
ତୁ ଏକା ପାରିବୁ ଶାଣିତ ବିଦ୍ରୋହ
ଆଉ ସବୁ ମତଲବି
ଉଠରେ ଉଠ କବି (5)

ଲକ୍ଷ ପତି ଏଠି ହେଂଡୁ ମାରେ ନିତି
କାଗଜ ଗରିବ ହୋଇ
ଅସଲି ଗରିବ କାନ୍ଦି କାନ୍ଦି ମରେ
ତା ପାଇଁ କା ନିଘା ନାହିଁ
ଉଠରେ ଉଠ କବି
ନିର୍ଘାତ ସତକୁ ଲେଖି ଚାଲ ତୁହି
ମଞ୍ଜ କଥା ସବୁ ଭାବି
ଉଠରେ ଉଠ କବି (6)

ପନ୍ଦର ଦିନର କାନ୍ତରାଟି କାମ
ମାସକରେ ଯାଏ ଫାଟି
କହିବା କାହାକୁ ଶୁଣିବ ବା କିଏ
ସବୁ ସଵାଖିଆ ପାଟି
ଉଠରେ ଉଠ କବି
ଜାଗ୍ରତକର ଏ ସୁପ୍ତ ଜାତିଟା କୁ
କାଉ ଭଳି ନିତି ରାବି
ଉଠରେ ଉଠ କବି (7)

ବିଦ୍ୟା ଦାନ ପାଇଁ ବିଦ୍ୟାଳୟ ମେଲା
ଶିକ୍ଷକ ନିଯୁକ୍ତି ନାହିଁ
ଯେତିକି ଅଛନ୍ତି କରି ରାଜନୀତି
ନାଚୁଛନ୍ତି ଥେଇ ଥେଇ
ଉଠରେ ଉଠ କବି
ଖେଳା ଜାଗରଣ ରାଇଜ ଟା ସାରା
ମେଳି ହେବେ ବୁଦ୍ଧିଜୀବୀ
ଉଠରେ ଉଠ କବି (8)

ଡାକ୍ତର ଖାନା ରେ ରୋଗୀ ସେବା ନାହିଁ
କ୍ଲିନିକରେ ଭାରି ଭିଡ଼
ପର୍ସେଣ୍ଟ ବେପାର ଭଲ ରୋଜଗାର
ଗୋଡ଼ ପରେ ଥୋଇ ଗୋଡ଼
ଉଠରେ ଉଠ କବି
ଥରେଇ ଦେ ତୁ ସର୍କାର ଛାତିଟା
ଜଣେଇ ଦେ ତୋ ଦାବି
ଉଠରେ ଉଠ କବି (9)

ସତ କହିଦେଲେ ସତୀ ଛାତି ଫାଟେ
ବଣା କରେ ଚଲା ବାଟ
ବାଘ ତ ଶୋଇଛି ନିଘୋଡ଼ ନିଦରେ
ତେଣୁ ଏ ମିରିଗ ନାଟ
ଉଠରେ ଉଠ କବି
ଲଗା ନିଆଁ ଏଠି ଶୁଷ୍କ ମନପ୍ରାଣେ
ଶହେ ଟା ସଲାମ ଦେବି
ମୁଁ ଶହେ ଟା ସଲାମ ଦେବି (10)
@ପ୍ରକାଶ

Leave a comment

Design a site like this with WordPress.com
Get started