
#ଜୀବନ
************
ଜୀବନକୁ ପଢିବାକୁ ହେଲେ
ପଢ଼…..
ମନଭରି ପଢ଼
ଠିଆ ହୋଇ ମୃତକ ସମୀପେ |
ଜୀବନକୁ ବୁଝିବାକୁ ହେଲେ
ବୁଝିନିଅ
ଆତ୍ମୀୟ ର ଶବଦାହ, ସ୍ମୃତିସଭା
ଦେଖିଥରେ
ନିର୍ଲିପ୍ତ ନୟନେ |
ଜୀବନ….
ଜୀବନ ଏକ ଏମିତି କବିତା
ଯାହାର ଶବ୍ଦ ସବୁ ସଂଯୋଜିତ
ମିଛ ଆଉ ମାୟା ର ଭାବ ରେ |
ବଞ୍ଚିବାର ନିଃଶ୍ୱାସ କୁ
ସାଉଁଟି ସାଉଁଟି
ଅଣନିଶ୍ୱାସୀ ହେଲା ପରେ…
ତୁଛ ଲାଗେ ସିନା ଜିଇଁବା,
ହେଲେ
ମୃତ୍ୟୁ ନ ଆସିଲାଯାଏ
ମିଛ ସବୁ ଘେରିଥାଏ.. ଜୀବନକୁ
ଅକ୍ଟୋପସ ର ଗ୍ରନ୍ଥିକେଶ ଭଳି |
ଜାତସ୍ୟ ହିଁ ଧୃବ ମୃତ୍ୟୁ..
ମୁଁ ଜାଣିଛି…
ତମେ ବି ଜାଣିଛ
ମୃତ୍ୟୁ ରେ ମିଛ ନାହିଁ,
ମାୟା ନାହିଁ,
ଆମେ କେହି ପଢ଼ୁନା..|
ହେ ବନ୍ଧୁ…
ତମେ ଥରେ ମୃତ୍ୟୁର ପୃଷ୍ଠା ସବୁ ପଢ଼ିନିଅ
ପାଇଯିବ ଜୀବନ ର ପ୍ରକୃତ ଆଲେଖ୍ୟ
ଏନ୍ତୁଡ଼ି ରୁ ଯୁଇ ପୁଣି
ଅନ୍ତ ରୁ ଅନ୍ତରୀକ୍ଷ
ଏକାକାର ହେଇଯିବ
ରଙ୍ଗ ବଦଳିଯିବ -ଜୀବନର
ଆଉ ତମେ
ମଣିଷ ରୁ ଭଗବାନ ସାଜି
ଜୀବନ ଜୀବନ ଯାଏ
ଜୀବନ ର ଚିତ୍ର ଆଙ୍କୁଥିବ ||
******ପ୍ରକାଶ *****
Leave a comment