ତମେ ଆସୁଛ ବୋଲି

ତମେ ଆସୁଛ ବୋଲି
—————-
ତମେ ଆସୁଛ ବୋଲି
ଭକ୍ତି ଆଉ ଭାବର ରସରେ
ବତୁରିଯାଇଛି ମାଟିରୁ ଆକାଶ
ନିଜକୁ ଚିପୁଡ଼ି ଦେଇଛି ଜହ୍ନ
କାଶତଣ୍ଡୀର ହସଦେହେ
ମହକୁଛି ଶାରଦୀୟ ଭକ୍ତି ଓ ବିଶ୍ୱାସ |

ତମେ ଆସୁଛ ବୋଲି
କଢ଼ ଧରେ କୋଟିଏ ପଦୁଅଁ
ଫୁଲି ଉଠେ ପୋଖରୀର ଛାତି
ଅଶିଣର ମାୟା ତ ପ୍ରଚ୍ଛନ୍ନ
ଆବାହନ ପର୍ବ ପାଇଁ ଭିଡ଼
ଏକାକାର ହେଇଛନ୍ତି ଦିନ ଆଉ ରାତି |

ତମେ ଆସୁଛ ବୋଲି
ବାଟ କାଢି ଚାଲିଯାଏ ମେଘ
ଅଳ୍ପାୟୁଷ ହୁଏ ଏଠି ଖରା
ମୁକ୍ତାଝରା ଶିଶିରର ବିନ୍ଦୁ
ଚିକମିକ ଆଲୁଅକୁ ବାଣ୍ଟେ
ପାର୍ବଣରେ ଭିଜିଯାଏ ସସାଗରା ଧରା |

ତମେ ଆସୁଛ ବୋଲି
ଦାଣ୍ଡେ ଦାଣ୍ଡେ ପୂର୍ଣ୍ଣକୁମ୍ଭ ବସେ
କୂଳବଧୂ ମୁରୁଜ ସଜାଡ଼େ
ମାଙ୍ଗଳିକ ମୁହୂର୍ତ୍ତ ଆରମ୍ଭେ
ଓଁ କାର ପ୍ରଣବ ବ୍ୟାପ୍ତିରେ
ମାଆ ଡାକେ,ଶଙ୍ଖନାଦେ, ହୁଳହୁଳି ଶବ୍ଦେ |
@ପ୍ରକାଶ

Leave a comment

Design a site like this with WordPress.com
Get started