ବିପର୍ଯ୍ୟୟ ପୂର୍ବରୁ ଲୋକଙ୍କ ଫୋନରେ ପହଞ୍ଚିବ ସତର୍କ ସୂଚନା । ଟେଲିକମ୍ ବିଭାଗ ତରଫରୁ ଆଜି ଓଡିଶାରେ ହୋଇଛି ପରୀକ୍ଷଣ । ୯୯ ପ୍ରତିଶତ ଫୋନକୁ ଯାଇଛି ଏମରଜେନ୍ସି ଆଲର୍ଟ ।
ବିପର୍ଯ୍ୟୟ ପୂର୍ବରୁ ଲୋକଙ୍କ ଫୋନରେ ପହଞ୍ଚିବ ସତର୍କ ସୂଚନା । ଟେଲିକମ୍ ବିଭାଗ ତରଫରୁ ଆଜି ଓଡିଶାରେ ହୋଇଛି ପରୀକ୍ଷଣ । ୯୯ ପ୍ରତିଶତ ଫୋନକୁ ଯାଇଛି ଏମରଜେନ୍ସି ଆଲର୍ଟ ।
ବିପର୍ଯ୍ୟୟ ଆସିବା ପୂର୍ବରୁ ଆପଣଙ୍କ ପାଖରେ ପହଞ୍ଚିବ ଜରୁରୀ ସୂଚନା । ଆପଣଙ୍କ ଫୋନକୁ ଆସିବ ଟେଲିକମ୍ ବିଭାଗ ତରଫରୁ ମେସେଜ୍ । ଆଜି ମୋବାଇଲକୁ ଏମରଜେନ୍ସି ଆଲର୍ଟ ଆସିବା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖି ଏପରି କିଛି କହିଛି ଟେଲିକମ୍ ବିଭାଗ । ବିଭାଗ ତରଫରୁ ଆଜି ପ୍ରେସମିଟ୍ କରାଯାଇ ଏ ସମ୍ପର୍କରେ ସୂଚନା ଦିଆଯାଇଥିବାବେଳେ, ଲୋକମାନେ ଏଥିରେ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି ।
ତା ସହିତ ଏହା କୌଣସି ସାଇବର ଠକେଇ ନୁହେଁ ବୋଲି ମଧ୍ୟ ଲୋକମାନଙ୍କୁ ସୂଚାଇ ଦିଆଯାଇଛି ।
ବିଭାଗ ତରଫରୁ କୁହାଯାଇଛି ଯେ, ଓଡିଶାରେ ଆଜି ଏହି ପରୀକ୍ଷଣ ସଫଳ ହେଇଛି । ବିପର୍ଯ୍ୟୟ ବେଳେ ଲୋକଙ୍କ ପାଖରେ କେମିତି ଜରୁରୀ ସୂଚନା ପହଞ୍ଚିବ ସେନେଇ ଟେଲିକମ୍ ବିଭାଗ ତରଫରୁ ଆଜି ପରୀକ୍ଷଣ କରାଯାଇଥିଲା । ଆଜି ପ୍ରାୟତଃ ୯୯ ପ୍ରତିଶତ ଫୋନକୁ ଏହି ମେସେଜ୍ ଯାଇଛି । ଏବଂ ଦେଶର କିଛି ରାଜ୍ୟରେ ଏହା ହୋଇସାରିଥିବାବେଳେ, ଅକ୍ଟୋବର ୩୧ ତାରିଖ ସୁଦ୍ଧା ସବୁ ରାଜ୍ୟରେ ଏହାର ପରୀକ୍ଷଣ ହେବ ବୋଲି ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ଆଜି ସକାଳୁ ସକାଳୁ ମୋବାଇଲକୁ ଆସିଥିଲା ଏମରଜେନ୍ସି ଆଲର୍ଟ । ମୋବାଇଲରେ ଜରୁରୀକାଳୀନ ସୂଚନା ଦେବା ଭଳି ଏକ ମେସେଜ୍ ଆସିଥିଲା । ଗୋଟିଏ ମୋବାଇଲକୁ କିଛି ସମୟ ଅନ୍ତରରେ ୨ରୁ ତିନି ଥର ମେସେଜ ଆସୁଥିଲା । ମେସେଜ ଆସିବା ସମୟରେ ବିପ୍ ସାଉଣ୍ଡ ହେବା ସହ ଭାଇଭ୍ରେଟ ହେଉଥିଲା । ତେବେ ଏହି ମେସେଜ୍ ଦେଖି ଅନେକ ଆଶଙ୍କାରେ ପଡିଥିଲେ । ଏହି ମେସେଜ୍ କିଏ ଓ କାହିଁକି ଦେଉଛି, ଏହା ପଛର ଉଦେଶ୍ୟ କଣ ସେ ନେଇ ଚିନ୍ତାରେ ପଡିଥିଲେ ।
ତେବେ ଏହି ବ୍ୟବସ୍ଥାରେ ଲୋକଙ୍କୁ ସୁରକ୍ଷା ଓ ଜରୁରୀକାଳିନ ସୂଚନା ଦେବେ ସରକାର । ଟେଲିକମ୍ ଅପରେଟରଙ୍କ ଜରିଆରେ ଏହି ସତର୍କ ସୂଚନା ଦିଆଯାଉଛି । ଅଗଷ୍ଟରେ ପ୍ରଥମ ଥର ପାଇଁ ଏଭଳି ପରୀକ୍ଷା କରାଯାଇଥିଲା । ଏବେ ସୁଦ୍ଧା ୬ଥର ଏମିତି ପରୀକ୍ଷା କରାଯାଇଛି । ଏପରି ସତର୍କ ସୂଚନା ଜାରି କରିବାର କାରଣ ହେଉଛି, ଲୋକଙ୍କୁ ବାତ୍ୟା, ସୁନାମୀ, ଭୂମିକମ୍ପ, ଘଡଘଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ସତର୍କ ସୂଚନା ଦେବା ।

Leave a comment