
ଢେଙ୍କାନାଳ ହିନ୍ଦୋଳ/ରାସୋଳ: ବିଦ୍ୟୁତ୍ ଫାଶରେ ପଡ଼ି ଢେଙ୍କାନାଳ ବନଖଣ୍ତ ଅଧୀନ ହିନ୍ଦୋଳ ବନାଞ୍ଚଳରେ ବୁଧବାର ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଦିନକୁ ଦିନ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ୁଥିବା ବେଳେ ଏହା ବନ ବିଭାଗର ଚିନ୍ତାକୁ ବଢ଼ାଇ ଦେଇଛି। ପୂର୍ବରୁ ଶିକାରୀଙ୍କ ଫାଶରେ ପଡ଼ି ମଣିଷଙ୍କ ମୃତ୍ୟୁ ହୋଇଥିବା ନଜିର ରହିଛି।ମଙ୍ଗଳବାର ପର୍ଜଙ୍ଗ ବ୍ଲକ୍ ଅଞ୍ଚଳରେ ବିଦ୍ୟୁତ୍ ଫାଶରେ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପଟେ ହାତୀଦାନ୍ତ ଉଦ୍ଦେଶ୍ୟରେ ହାତୀ ଶିକାର କରାଯାଇଥିବା ଚର୍ଚ୍ଚା ହେଉଛି।
ଜଙ୍ଗଲୀ ବାର୍ହାଙ୍କ କବଳରୁ ଧାନ ଫସଲକୁ ରକ୍ଷା କରିବାକୁ ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଛି। ଏହି କାରଣରୁ ଦନ୍ତାଟିର ମୃତ୍ୟୁ ହୋଇ ନାହିଁ ତ ବୋଲି ପ୍ରଶ୍ନ ଉଠିଛି। ବିଭାଗୀୟ ଅଧିକାରୀଙ୍କ ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲିକୁହାଯାଉଛି। ଏ ନେଇ ଅଧିକ ତଦନ୍ତ ଜାରି ରହିଛି। ସୂଚନା ଅନୁଯାୟୀ ହିନ୍ଦୋଳ ବନାଞ୍ଚଳ ନୂଆବଗ ପଞ୍ଚାୟତ କନ୍ତକୁଳ ବ୍ୟାରେଜ୍ ନିକଟରେ ଆଜି ଏକ ଦନ୍ତା ହାତୀ (ବୟସ ୨୦ରୁ ଅଧିକ)ର ମୃତଦେହ ପଡ଼ିଥିବା ଦେଖାଯାଇଥିଲା। ଶିକାରୀ ଜନ୍ତୁ ଶିକାର ଲାଗି ବ୍ୟବହାର କରୁଥିବା ଉଚ୍ଚ କ୍ଷମତାସଂପନ୍ନ ବିଦ୍ୟୁତ୍ ଫାଶ ସଂସ୍ପର୍ଶରେ ଆସି ଦନ୍ତାର ମୃତ୍ୟୁ ହୋଇଥିବା ସ୍ଥାନୀୟ ବନ ବିଭାଗ ଅଧିକାରୀଙ୍କ ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି। ଖବରପାଇ ଘଟଣାସ୍ଥଳରେ ଯୁଗ୍ମ ଟାସ୍କଫୋର୍ସର ଅଧିକାରୀ ଡ. ମନୋଜ ନାୟର, ଅନୁଗୁଳ ଆର୍ସିସିଏଫ୍ ଶୁଧାଂଶୁଶେଖର ଖୋରା, ଡିଏଫ୍ଓ ସୁମିତ କୁମାର କର, ରେଞ୍ଜର୍ ଲୋହିତ ରଥଙ୍କ ସମେତ ବନ ବିଭାଗ କର୍ମଚାରୀ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। ହତୀର ଶବ ବ୍ୟବଚ୍ଛେଦ ପରେ ଦାନ୍ତ ଦୁଇଟିକୁ ସୁରକ୍ଷିତ ରଖାଯାଇଛି। ପରେ ମୃତଦେହକୁ ଗାତ ଖୋଳି ପୋତି ଦିଆଯାଇଛି। ବନ ବିଭାଗ ତରଫରୁ ଘଟଣାସ୍ଥଳରେ ଛାନଭିନ୍ ଜାରି ରହିଛି। ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀଙ୍କୁ ଖୁବଶୀଘ୍ର ଧରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଏଫ୍ଓ ଶ୍ରୀ କର କହିଛନ୍ତି।
ଉଲ୍ଲେଖନୀୟ, ହିନ୍ଦୋଳ ଅଞ୍ଚଳରେ ହାତୀ ମଣିଷ ଲଢ଼େଇ ନିତିଦିନିଆ ଘଟଣାରେ ପରିଣତ ହେଲାଣି। ସରକାରୀ ନୀତି ନିୟମକୁ ଖୋଲା ଚ୍ୟାଲେଞ୍ଜ୍ କରି ଶିକାରୀମାନେ ବାରମ୍ବାର ବିଦ୍ୟୁତ୍ ଫାଶ ପକାଇ ଜନ୍ତୁ ଶିକାର କରୁଛନ୍ତି। ଏପଟେ କିନ୍ତୁ ବିଭାଗୀୟ ଅଧିକାରୀ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହେଉଛି। ଶିକାରୀମାନେ ଅବାଧରେ ପ୍ରତିଦିନ ଜନ୍ତୁ ଶିକାର ଜାରି ରଖିଛନ୍ତି। ଦିନକୁ ଦିନ ଏପରି ବିଦ୍ୟୁତ୍ ଫାଶ ଉଭୟ ମଣିଷ ଓ ପ୍ରାଣୀଙ୍କ ଲାଗି ବିପଦ ସୃଷ୍ଟି କରୁଛି। ଏହା ଉପରେ ତୁରନ୍ତ ରୋକ୍ ଲାଗାଇବାକୁ ଉଭୟ ବିଦ୍ୟୁତ୍ ବିଭାଗ ଓ ବନ ବିଭାଗ ଗୁରୁତ୍ବ ଦେଉ ବୋଲି ସାଧାରଣରେ ଦାବି ହୋଇଛି। ସୂଚନାଯୋଗ୍ୟ ଯେ ଚଳିତବର୍ଷ ହାତୀ ଆକ୍ରମଣରେ ୨୦ରୁ ଅଧିକ ମଣିଷଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ରୁ ଅଧିକ ଜଙ୍ଗଲୀ ହାତୀଙ୍କ ମୃତ୍ୟୁ ହୋଇଛି।
Leave a comment