
ଜଗନ୍ନାଥ ଜଗତର ନାଥ । କୁହାଯାଏ ସେ ସବୁଠି ବିଦ୍ୟମାନ । ହେଲେ ଏଭଳି କିଛି ଦେଖିବାକୁ ପାଇଛନ୍ତି ଲୋକ । ଏହା ଲୋକଙ୍କ ବିଶ୍ବାସ, ଭଗବାନଙ୍କ ପ୍ରତି ଶ୍ରଦ୍ଧା ହୋଇପାରେ, ହେଲେ ଏ ଘଟଣାକୁ ନେଇ ସବୁଠି ଚର୍ଚ୍ଚା । କେନ୍ଦୁଝରରେ ମହାପ୍ରଭୁ ଅନୁଭବ କରାଇଥିବା ନେଇ ଚର୍ଚ୍ଚା ହେଉଛି । ଜଗନ୍ନାଥଙ୍କୁ ନେଇ ଏକ ବିରଳ ଘଟଣା ସମଗ୍ର କେନ୍ଦୁଝର ଅଞ୍ଚଳକୁ ତାଜୁବ କରାଇଛି।ମାଂସ କାଟିବା ପାଇଁ ବ୍ୟବହାର ହେଉଥିବା କାଠ ଗଣ୍ଡିରେ ଦେଖିବାକୁ ମିଳିଛି କାଳିଆର ପ୍ରତିଛବି । ଏଇଟା ଚମତ୍କାର ନା ସଂଯୋଗ ଅବା ଭ୍ରମ ସେଇଟା କେହି ଜାଣି ନାହାନ୍ତି । ହେଲେ କାଠ ଗଣ୍ଡିରେ ମହାପ୍ରଭୁଙ୍କ ଶ୍ରୀମୁଖର ଛବି ଦେଖିବା ପରେ ଦେଖିବାକୁ ଲୋକଙ୍କ ଭିଡ଼ କମୁନି, ପୂଜାର୍ଚ୍ଚନା ମଧ୍ୟ ଆରମ୍ଭ ହୋଇଯାଇଛି । ପବିତ୍ର କାର୍ତ୍ତିକ ମାସରେ ଏହି କଥିତ ଅଲୌକିକ ଘଟଣା ଘଟିଥିବାରୁ ଘରେ ପ୍ରତିଦିନ ଧୂପ, ଦୀପ, ପୁଷ୍ପ ଆଦି ଅର୍ପଣ କରି ପ୍ରଭୁ ଆରାଧନା କରୁଛନ୍ତି ପରିବାର ।କେନ୍ଦୁଝର ତୁରୁମୁଙ୍ଗା ବଜାରରେ ଏକ ବ୍ରଏଲର୍ ଦୋକାନ କରିଥିଲେ ଗୌତମ ଦେହୁରୀ । କିଛି ଦିନ ତଳେ ଗୌତମଙ୍କର ମାଂସ କଟା ଗାଠଗଣ୍ଡିରେ ଖାଲ ହୋଇଯିବାରୁ ସେ ସେହି କାଠଗଣ୍ଡିକୁ ସମତଳ କରିବାକୁ କରତ ଦ୍ବାରା କାଟିଥିଲେ । ହେଲେ, ଆଶ୍ଚର୍ଯ୍ୟଜନକ ଭାବେ ସେହି କାଠଗଣ୍ଡିରେ ଦେଖାଗଲା ଏକ ପ୍ରତିଚ୍ଛବି । ଆଉ ସେହି ପ୍ରତିଛବି ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପ୍ରଥମେ ସେ ସେହି ପ୍ରତିଛବିକୁ ଦେଖୁ ଦେଖୁ ତାଙ୍କ ଆଖି ଆଗରେ ନାଚି ଆସୁଥିଲା ଜଗତର ନାଥ ଜଗନ୍ନାଥଙ୍କ ପ୍ରତିଛବି। ଏହାପରେ ଗୌତମ ସେହି କାଠ ଗଣ୍ଡିକୁ ଗାଁଲୋକଙ୍କୁ ଦେଖାଇଲେଏହାକୁ ନେଇ ଲୋକଙ୍କ ଶ୍ରଦ୍ଧା ଦେଖିବା ପରେ ବଦଳିଗଲା ମାଂସଦୋକାନୀଙ୍କ ମନ । ସେହି କାଠଗଣ୍ଡିରେ ମାଂସ ନକାଟି ଘରକୁ ନେଇ ଯାଇଥିଲେ ଗୌତମ । ସେବେଠାରୁ ସେହି କାଠଗଣ୍ଡିକୁ ଘରେ ପୂଜାର୍ଚ୍ଚନା କରାଯାଉଛି । ତେବେ ସବୁଠାରୁ ବଡ଼ କଥା ହେଉଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିବା ପରେ ଗୌତମ ଆଉ ମାଂସ ନକାଟିବାକୁ ମନସ୍ଥ କରିଛନ୍ତି ।
ଜଗନ୍ନାଥଙ୍କୁ ନେଇ ଅନେକ ଅଲୌକିକ ଘଟଣା ବର୍ଣ୍ଣିତ ଅଛି । ପୋଥି, ପୁରାଣ ଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ଏଭଳି ଅନେକ ଚମତ୍କାର ଅନୁଭବ ବିଷୟରେ ଉଲ୍ଲେଖ କରାଯାଇଛି । ତେଣୁ ଓଡ଼ିଶାର ଆରାଧ୍ୟ ଭାବ ବିନୋଦିଆ କାଳିଆଙ୍କୁ ନେଇ ଲୋକ ଭାବବିହ୍ବଳ ହୋଇପଡ଼ନି ।
Leave a comment