କାମାକ୍ଷାନଗର: ବିଜ୍ଞାନ ଯେତେ ଅଗେଇଲେ ମଧ୍ୟ ଲୋକଙ୍କ ମନରୁ ଅନ୍ଧବିଶ୍ବାସ ଦୂର ହୋଇପାରୁନି। କିଛି ଲୋକ ଏବେ ବି ଗୁଣିଗାରେଡ଼ି ଓ ତନ୍ତ୍ର ସାଧନା ପଛରେ ପଡ଼ିଛନ୍ତି। ତନ୍ତ୍ର ବଳରେ ସଫଳ ହେବାକୁ ଇଚ୍ଛା ରଖି ଅସାମାଜିକ କାମ କରୁଛନ୍ତି। ମୃତ ଲୋକଙ୍କ ଶରୀରକୁ ଅସମ୍ମାନିତ କରିବାକୁ ପଛାଉ ନାହାନ୍ତି। ମାଟିଖୋଳି ଶବ ବାହାର କରି ପୂଜାର୍ଚ୍ଚନା କରୁଛନ୍ତି।କେଉଁଠି ନରବଳି ଦିଆଯାଉଛି ତ କେଉଁଠି ଶ୍ମଶାନରେ ଚଣ୍ଡିପାଠ କରାଯାଉଛି। ଯାହାକୁ ନେଇ ଅଞ୍ଚଳରେ ଆତଙ୍କ ଓ ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଳତୁମା ଗ୍ରାମରେ। ପୋତା ଯାଇଥିବା ଜଣେ ବୃଦ୍ଧାଙ୍କ ମୃତଦେହକୁ ଗାତ ଖୋଳି ବାହାର କରି ଖପୁରିକୁ ଆଣି ସିନ୍ଦୂର, ଧୂପ, ଅରୁଆ ଚାଉଳ ଦେଇ ପୂଜାର୍ଚ୍ଚନା କରାଯାଇଛି। ସୂଚନା ଅନୁସାରେ କାମାକ୍ଷାନଗର ଥାନା ଆଳତୁମା ଗ୍ରାମର ବୃଦ୍ଧା ଦ୍ରୌପଦୀ ନାଥ (୯୦ବର୍ଷ)ଙ୍କ ଜୁନ୍ ମାସରେ ମୃତ୍ୟୁ ହୋଇଥିଲା।ପରିବାର ଲୋକ ରୀତିନୀତି ଅନୁଯାୟୀ ରାମିଆଳ ନଦୀ କୂଳରେ ଥିବା ତାଙ୍କ ଜମିରେ ବୃଦ୍ଧାଙ୍କ ମୃତଦେହକୁ ଗାତଖୋଳି ପୋତି ଦେଇଥିଲେ। ଆଜି ସକାଳେ ଗାତ ଖୋଳି ମୃତଦେହରୁ ଖପୁରିକୁ ବାହାରକରି ଧୂପକାଠି, ସିନ୍ଦୂର, ନୂଆ ଗାମୁଛା ଓ ଅରୁଅ ଚାଉଳ ଦେଇ ପୂଜାର୍ଚ୍ଚନା କରାଯାଇଥିବା ଦେଖିବାକୁ ମିଳିଥିଲା। କିଏ ଏବଂ କାହିଁକି କେଉଁ ଉଦ୍ଦେଶ୍ୟ ନେଇ ୬ ମାସ ତଳେ ମୃତ ଜଣେ ବୃଦ୍ଧାଙ୍କ ଖପୁରି ବାହାର କରି ପୂଜାର୍ଚ୍ଚନା କରିଛି ତାହା ଜଣାପଡ଼ି ନାହିଁ। କେହି ତନ୍ତ୍ର ସାଧନା କରିବାକୁ ଯାଇ ଏପରି କରିଥିବା ଅନୁମାନ କରାଯାଉଛି। ଏହାକୁ ନେଇ ପରିବାର ଲୋକ ଓ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ପୁଲିସ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଓ ପରିବାର ପକ୍ଷରୁ ଦାବି ହୋଇଛି।

Leave a comment