ଭୁବନେଶ୍ବର: ପରିକ୍ରମା ପ୍ରକଳ୍ପ ଉତ୍ସବକୁ ନେଇ ଓଡ଼ିଶାବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଉତ୍ସାହ। ଏହି ଉତ୍ସାହ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ସୋସିଆଲ ମିଡିଆ ‘ଏକ୍ସ’ରେ ଟ୍ରେଣ୍ଡ୍ କରୁଛି ‘ଶ୍ରୀମନ୍ଦିର ଖୁସି, ଓଡ଼ିଶା ଖୁସି’ । ଚା’ ଖଟିରୁ ଚାକଚକ୍ୟ ହୋଟେଲ, ବସ୍ତିବାସୀରୁ ବୁଦ୍ଧିଜୀବୀ ପୁଣି ବଡ଼ଦାଣ୍ଡରୁ ବେଳାଭୂମି ସବୁଠି ପରିକ୍ରମା ପ୍ରକଳ୍ପର ଚର୍ଚ୍ଚା ଚାଲିଛି।ଆଉମାତ୍ର ଗୋଟିଏ ଦିନର ଅପକ୍ଷୋ। ପୌଷ ଶୁକ୍ଳ ସପ୍ତମୀ ତିଥି ଅର୍ଥାତ୍ ୨୦୨୪ ଜାନୁଆରୀ ୧୭ ତାରିଖ ଶ୍ରୀକ୍ଷେତ୍ର ପାଇଁ ଏକ ଅବିସ୍ମରଣୀୟ ଦିନ ହୋଇରହିବ। ପ୍ରତ୍ୟେକ ଜଗନ୍ନାଥପ୍ରେମୀଙ୍କ ପାଇଁ ମଧ୍ୟ ଏହି ଦିନ ଅଭୁଲା ରହିବ। କାରଣ ଏହିଦିନ ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। କେବଳ ପରିକ୍ରମା ପ୍ରକଳ୍ପ ନୁହେଁ, ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ୱସ୍ତରୀୟ ସହରରେ ପରିଣତ କରିବା ଲାଗି ନବୀନ ପଟ୍ଟନାୟକଙ୍କ ସ୍ୱପ୍ନର ଏକାଧିକ ପ୍ରକଳ୍ପ ନେବ ବାସ୍ତବରୂପ। ଏଥିପାଇଁ ପୁରୀ ଭଳି ଏକ ଛୋଟ ସହରରେ ତିଆରି ହୋଇଛି ଅନେକ ବଡ଼ ବଡ଼ ପ୍ରକଳ୍ପ, ଯାହାକି ଶ୍ରୀକ୍ଷେତ୍ରର ବିକାଶକୁ ଆହୁରି ଗତି ହେବ। ହେଲେ ପରିକ୍ରମା ପ୍ରକଳ୍ପକୁ ନେଇ ଏବେ ସବୁଠି ଉତ୍ସାହ ଆଉ ବ୍ୟଗ୍ରତା। ଏହାର ଲୋକାର୍ପଣ ପାଇଁ ନବବଧୂଟିଏ ଭଳି ସଜେଇ ହୋଇଛି ପୁରୀ। ଭାବଭକ୍ତିରେ ଉଚ୍ଛୁଳୁଛି ସିଂହଦ୍ୱାରରୁ ଶରଧାବାଲି।

Leave a comment