
ରାଜ୍ୟର ସରକାରୀ ସ୍କୁଲଗୁଡିକରେ ଶ୍ରେଣୀରେ ଗୁଣାତ୍ମକ ଶିକ୍ଷାଦାନ ପ୍ରତି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ତେବେ ଅନେକ ସମୟରେ ଶ୍ରେଣୀକକ୍ଷରେ ଶିକ୍ଷକ,ଶିକ୍ଷୟିତ୍ରୀମାନେ ମୋବାଇଲ ବ୍ୟବହାର କରୁଥିବା ଅଭିଯୋଗ ହେବା ପରେ ବିଭାଗ ପକ୍ଷରୁ ଏ ଦିଗରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ବିଦ୍ୟାଳୟରେ ଶ୍ରେଣୀକୁ ଯିବା ପୂର୍ବରୁ ସମସ୍ତ ଶିକ୍ଷକମାନେ ପ୍ରଧାନଶିକ୍ଷକଙ୍କ ନିକଟରେ ସେମାନଙ୍କର ମୋବାଇଲ ଦାଖଲ କରିବେ। ପ୍ରଧାନଶିକ୍ଷକଙ୍କ ନିକଟରେ ଏକ ତାଲିକା ରହିବ। ଯେଉଁଥିରେ ଶିକ୍ଷକଙ୍କ ମୋବାଇଲ ଦାଖଲ କରିବାର ସମୟ ଏବଂ ଦୈନିକ କେତେ ସମୟ ସ୍କୁଲରେ ମୋବାଇଲ ବ୍ୟବହାର କରୁଛନ୍ତି ତାହାର ରିପୋର୍ଟ ଉଲ୍ଲେଖ କରାଯିବ। ତେବେ ଏହି ନିୟମ ଲାଗୁ ହେବା ପରେ ରାଜ୍ୟର ସବୁ ସ୍କୁଲରେ ଶିକ୍ଷକମାନେ ଶ୍ରେଣୀକୁ ଯିବା ପୂର୍ବରୁ ସେମାନଙ୍କର ମୋବାଇଲ ପ୍ରଧାନଶିକ୍ଷକଙ୍କ ନିକଟରେ ବାଧ୍ୟବାଧ୍ୟକତାରେ ଦାଖଲ କରୁଥିଲେ। ମାତ୍ର କରୋନା ଲାଗି ୨ବର୍ଷ ସ୍କୁଲ ବନ୍ଦ ହୋଇଥିଲା। ପରେ ୨୦୨୧ରୁ ସ୍କୁଲରେ ପାଠପଢ଼ା ଆରମ୍ଭ ହେବା ପରେ ବର୍ତ୍ତମାନ ସେହି ନିୟମକୁ କୌଣସି ଶିକ୍ଷକ ମାନୁନଥିବା ଅଭିଯୋଗ ହୋଇଛି। ତେଣୁ ସମ୍ପୃକ୍ତ ନିୟମକୁ କଡାକଡି ଭାବେ ପାଳନ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବିଦ୍ୟାଳୟରେ ଶିକ୍ଷକମାନେ ସାଢ଼େ ୪ଟା ପର୍ଯ୍ୟନ୍ତ ରହିବା ବାଧ୍ୟତାମୂଳକ ମଧ୍ୟ ହୋଇଛି।ଗଣଶିକ୍ଷା ବିଭାଗର ଜଣେ ବରିଷ୍ଟ ଅଧିକାରୀଙ୍କ କହିବା ଅନୁଯାୟୀ, ପୂର୍ବରୁ ‘କ୍ୟାଲେଣ୍ଡର ଅଫ୍ ଆକ୍ଟିଭିଟିଜ୍’ରେ ଶିକ୍ଷକଙ୍କ ଲାଗି ସମୟ ୯ଟା୩୦ରୁ ୪ଟା୩୦ ପର୍ଯ୍ୟନ୍ତ ନିୟମ ରହିଥିଲା। ମାତ୍ର ଏହାକୁ ନେଇ କିଛି ସମସ୍ୟା ହୋଇଥିବା ବେଳେ ଅନେକ ସ୍କୁଲରେ କିଛି ଶିକ୍ଷକ ଏହାକୁ ପାଳନ କରୁନଥିଲେ। ସ୍କୁଲରେ ସୁସ୍ଥ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ସହ ଶିକ୍ଷାଦାନ ବ୍ୟବସ୍ଥା ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଲାଗି ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ଶିକ୍ଷକଙ୍କ ଲାଗି ସକାଳ ୧୦ଟା ରୁ ୪ଟା ପର୍ଯ୍ୟନ୍ତ ଥିବାରୁ ଅନେକ ସ୍କୁଲରେ ବହୁ ଶିକ୍ଷକ ୧୦ଟାରେ ଆସି ପହଞ୍ଚୁଥିଲେ। ବିଶେଷକରି କୌଣସି ପ୍ରାଥମିକ ସ୍କୁଲରେ ପିଅନ ନାହାଁନ୍ତି। ତେଣୁ ଶିକ୍ଷକମାନେ ସ୍କୁଲରେ ପହଞ୍ôଚ ଶ୍ରେଣୀକକ୍ଷ ସଫାସୁତରା କରିବା, ସ୍କୁଲ ଚାରିପଟ ମଧ୍ୟ ସଫା କରୁଥିଲେ। ପରେ ପ୍ରାର୍ଥନା କରାଯିବା ପରେ ପାଠପଢ଼ା ଆରମ୍ଭ ହେଉଥିଲା। ତେଣୁ ଦୈନିକ ଶ୍ରେଣୀରେ ପାଠପଢ଼ା ସମୟ ଯାହା ଧାର୍ଯ୍ୟ ହୋଇଥିଲା ସେଥିରେ ବହୁ ବିଳମ୍ବ ହେଉଥିଲା। ସେହିପରି ୪ଟାରେ ଛୁଟି ନିୟମ ଅନୁଯାୟୀ ଅନେକ ସ୍କୁଲରେ ଶିକ୍ଷକମାନେ ୪ଟା ନବାଜୁଣୁ ଘରକୁ ଯିବା ଲାଗି ପ୍ରସ୍ତୁତ ହୋଇଯାଉଥିଲେ।
ତେବେ ସ୍କୁଲ ଛୁଟିପରେ ଶ୍ରେଣୀ କକ୍ଷ ବନ୍ଦ କରିବା ଠାରୁ ଆରମ୍ଭ କରି ଅନେକ କାର୍ଯ୍ୟ ଶିକ୍ଷକଙ୍କ ଦ୍ୱାରା ହୋଇଥାଏ। ଏପରିକି ଅନେକ ସ୍କୁଲରେ ଛୁଟିପରେ ଅଭିଭାବକମାନେ ଠିକ୍ ସମୟରେ ନଆସୁଥିବାରୁ ପିଲାମାନେ ୧୦ରୁ ୧୫ମିନିଟ୍ ମଧ୍ୟ ସ୍କୁଲରେ ରହିଥାନ୍ତି। ତେଣୁ ଠିକ୍ ୪ଟାରେ ଶିକ୍ଷକମାନେ ଯଦି ଘରକୁ ଚାଲିଯାଆନ୍ତି ତେବେ ପିଲାଙ୍କ ସୁରକ୍ଷାକୁ ନେଇ ଆଶଙ୍କା ରହୁଥିଲା। ତେଣୁ ଏଣିକି ୯ଟା୩୦ରେ ଶିକ୍ଷକ,ଶିକ୍ଷୟିତ୍ରୀମାନେ ସ୍କୁଲରେ ପହଞ୍ôଚ ଶ୍ରେଣୀକକ୍ଷ ସଫାସୁତରା କରିବା ସହ ଦୈନନ୍ଦୀନ କାର୍ଯ୍ୟ ଶୀଘ୍ର ଶେଷ କରି ନିର୍ଦ୍ଧାରିତ ସମୟରେ ପାଠପଢ଼ା ଆରମ୍ଭ କରିବେ। ସେହିପରି ୪ଟାରେ ସ୍କୁଲ ଛୁଟି ହେବା ପରେ ସବୁ ପିଲା ଘରକୁ ଯିବା ପରେ ଶ୍ରେଣୀ କକ୍ଷ ସଫାସୁତରା କରି ୪ଟା୩୦ରେ ସ୍କୁଲ ଛାଡ଼ିବେ। ତେବେ ଏହି ନିୟମକୁ ଅବମାନନା କଲେ ସମ୍ପୃକ୍ତ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Leave a comment