ପ୍ରାକୃତିକ ଶୋଭା ବଡ଼ ମନ ଲୋଭା ଧନ୍ୟ ଏ ମାଟି ଢେଙ୍କାନାଳ

ଢେଙ୍କାନାଳ-ଆଡ଼ଭୋକେଟ-ପ୍ରକାଶଚନ୍ଦ୍ରରାଉତ
——
ପ୍ରାକୃତିକ ଶୋଭା ବଡ଼ ମନଲୋଭା
ଧନ୍ୟ ଏ ମୋ ମାଟି ଢେଙ୍କାନାଳ
ପାହାଡ଼ ଝରଣା କୋଟିମନ ଜିଣା
ପୁଣ୍ୟପୀଠେ ପୂର୍ଣ୍ଣ ମାତା କୋଳ ||୧||

କପିଳାସ ନାଗନାଥ ତପୋବନ
ମହିମା ଗାଦିର ଉପାଖ୍ୟାନ
ଇତିହାସ ବକ୍ଷେ ସୁସଜ୍ଜିତେ ଲେଖା
ସପ୍ତଶଯ୍ୟା, ବଳରାମ ଧାମ ||୨||

ବ୍ରାହ୍ମଣୀ କୂଳରେ ରାମଚଣ୍ଡୀ ବିଜେ
ପଶ୍ଚିମେଶ୍ୱର ଯେ ଛଦେଶରେ
ପୁରାତନ କୀର୍ତ୍ତି କାରୁକାର୍ଯ୍ୟ ଭର୍ତ୍ତି
ସମ୍ଭବିଛି ମାଆ ନିର୍ଦ୍ଦେଶରେ ||୩||

ଦତ୍ତାତ୍ରେୟ କ୍ଷେତ୍ର, ଶରଣ ଶ୍ରୀକ୍ଷେତ୍ର
ଗଡ଼ ଖଙ୍କିରାର ପରିବେଶ
ମନୋମୁଗ୍ଧକର ଭକ୍ତି ଭାବ ମୟ
ନାଶେ ଷଡ ରିପୁ ଦୁଃଖ କ୍ଳେଶ ||୪||

ଭାଗ୍ୟେ ଥିଲେ ଜନ୍ମ  ଉତ୍କଳ ଗରଭେ
ଅତି ଭାଗ୍ୟେ ଜନ୍ମ ଢେଙ୍କାନାଳେ
ଅଖଣ୍ଡ ଭୂଖଣ୍ଡ  ପ୍ରଜ୍ଞା ମେରୁଦଣ୍ଡ
ଗୌରବ ମଣ୍ଡିତା ଭୂମଣ୍ଡଳେ ||୫||

ବୀର ପ୍ରସବିନୀ ଏ ମୋର ଜନନୀ
ପୁଣ୍ୟ ଗର୍ଭା ମାତା ଢେଙ୍କାନାଳ
ଇତିହାସ ସୃଜି  ସୁଯୋଗ୍ୟ ସନ୍ତାନ
ଅମର ହୋଇଲେ କାଳ କାଳ ||୬||

ଦୁର୍ଦ୍ଦଷ ଶବର ଢେଙ୍କା ନାମେ ଖ୍ୟାତ
ଦେହେ ଶତ ସିଂହ ବଳ ଧରି
ଆରମ୍ଭିଲା ଯେଣୁ ବସ ବାସ ଏଠି
ଢେଙ୍କାନାଳ ନାମ ଦେଲେ “ହରି”||୭||

ରାଜ ତନ୍ତ୍ର ନୀତି ଶାସନ ପଦ୍ଧତି
ଥିଲା ଦିନେ ଗଡ଼ ଢେଙ୍କାନାଳେ
ଫିରିଙ୍ଗୀ ଶାସନ ଆଣି ଉତ୍ପୀଡ଼ନ
ଯାତନା ରଚିଲା ତୋର କୋଳେ ||୮||

ନୀଳ କଣ୍ଠ ପୁର ବାଜି ରାଉତ ସେ
ବାର ବର୍ଷେ ଦେଲେ ପ୍ରାଣ ବଳି
ବୀର ବଇଷ୍ଣବ ସ୍ୱାଧୀନତା ପାଇଁ
ଗ୍ରାମେ ଗ୍ରାମେ କଲେ ପ୍ରଜା ମେଳି ||୯||

ଗଡ଼ଜାତ ଗାନ୍ଧୀ ବିପ୍ଲବୀ ସାରଙ୍ଗ
ବ୍ରଜ ମହାପାତ୍ର ବ୍ରଜ ଧଳ
ମୂଷା, ଅନୁକୂଳ,ଆନନ୍ଦ ଆଦି ଯେ
ହଜେଇଲେ ଶତ୍ରୁ ବୁଦ୍ଧି ବଳ ||୧୦||

ଲକ୍ଷ୍ମଣ ମଲ୍ଲିକ ନଟ ହୁରୁଷି ଯେ
ଦିନା,ଫଗୁ ଆଦି ବୀର ଗଣ
ବନବାସିନୀ ସେ କୂଳ ଭୂଆସୁଣୀ
ତେଜିଥିଲେ ପ୍ରଜା ଆନ୍ଦୋଳନ ||୧୧||

ପ୍ରଜା ଆନ୍ଦୋଳନେ  ଢେଙ୍କାନାଳ ମାଟି
ଦେଶରେ ଆଣିଲା ଜାଗରଣ
ଢେଙ୍କାନାଳ ଇଏ ବୀର ମାଟି ପରା
ସରେ ନାହିଁ ତାର ଗୁଣ ଗାନ ||୧୨||

ପଥର ପଡିଲେ ଏ ମାଟି ଛାତିରେ
ଫୁଲହେଇ ଫୁଟେ ପ୍ରେମବଳେ
ତେଣୁ ତ ଗର୍ବିତ ଯେଣୁ ମୁଁ ଜନ୍ମିତ
ଗୌରବୋଜ୍ବଳ ଏ ଢେଙ୍କାନାଳେ ||୧୩||

ସାହିତ୍ୟ କ୍ଷେତ୍ରରେ ଢେଙ୍କାନାଳ ମୋର
ରଖିଛି ସ୍ୱତନ୍ତ୍ର ପରିଚୟ
ବତ୍ସାଦାସଙ୍କର କଳସା ଲିଖନ
ଏ ମାଟିକୁ କରେ ଭାବମୟ ||୧୪||

ଏଇଠି ଜନମି କବି ବ୍ରଜନାଥ
ସମର ତରଙ୍ଗ ଥିଲେ ସୃଜି
ଗୋଲକ ବିହାରୀ ସୁଲକ୍ଷଣା ଦେବୀ
ଶ୍ରୀବତ୍ସ ନାୟକ ପୂଜ୍ୟ ଆଜି ||୧୫||

କବି ଭୂଷଣଙ୍କ ଜନ୍ମଭୂମି ଇଏ
ହରମୋହନଙ୍କ କର୍ମଭୂମି
ନନ୍ଦିନୀ ଦେବୀଙ୍କ ଉପାସନା ସ୍ଥଳ
କଳ୍ପନା ଦାସ ତ ଥିଲେ ଜନ୍ମି ||୧୬||

ଏ ମାଟି ମଣିଷ ପୂଜ୍ୟ ଗତିକୃଷ୍ଣ
ମହକେ ମୋହିଲେ ଢେଙ୍କାନାଳ
ଓଡିଶାର ମୁଖ୍ୟ ନ୍ୟାୟାଧୀଶ ହେଲେ
ହେଲେ ଓଡ଼ିଶାର ରାଜ୍ୟପାଳ ||୧୭||

ଆମ ମାଟି ଝିଅ ଅମୀୟା ପାଢ଼ୀ ତ
ନାରୀ ଜାତି ପାଇଁ ଗର୍ବ ସିଏ
ପ୍ରଥମ ମହିଳା ବିଚାର ପତି ଯେ
ଓଡିଶାର ଉଚ୍ଚ ନ୍ୟାୟାଳୟେ  ||୧୮||

ଅସରା ଐଶୂର୍ଯ୍ୟ ଧାରିଣୀ ମୋ ମା
ବ୍ରାହ୍ମଣୀ ଧୁଅଇ ଯା ପୟର
କପିଳାସ ଯାର ଶୀରେ ଶୋଭାବନ୍ତ
ସେଇ ଢେଙ୍କାନାଳେ ଜନ୍ମ ମୋର||୧୯||

ଢେଙ୍କାନାଳ କ୍ଷେତ୍ର ପୁଣ୍ୟମୟ ତୀର୍ଥ
ସାହିତ୍ୟ ସଂସ୍କୃତି ପ୍ରାଣବନ୍ତ
ବୀର ମାଟି ବୋଲି ଜଗତେ ବିଖ୍ୟାତ
ଏ ମାଟିକୁ ଶତ ପ୍ରଣିପାତ ||୨୦||

@ପ୍ରକାଶ

Leave a comment

Design a site like this with WordPress.com
Get started